୧୦୨ ଦିନ ପରେ ନ୍ୟୁଜିଲାଣ୍ଡକୁ ଫେରିଲା କରୋନା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ୧୦୨ ଦିନ କରୋନାଠାରୁ ଦୂରେଇ ରହିବା ପରେ ପୁଣିଥରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଗୋଟିଏ ମାମଲା ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ପୁନର୍ବାର ଲକଡାଉନ ଜାରି କରାଯାଇଛି। ଏଥିସହିତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ ପ୍ରଥମ କରୋନା ସଂକ୍ରମଣ ମାମଲା ଫେବୃୟାରୀ ୨୮ରେ ସାମ୍ନାକୁ ଆସିଥିଲା। ମାର୍ଚ୍ଚ ୧୮ରେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୯ରେ ପ୍ରଧାନମନ୍ତ୍ରୀ ବିଦେଶୀଙ୍କ ଏଣ୍ଟ୍ରିକୁ ବ୍ୟାନ କରିଥିଲେ। ମାର୍ଚ୍ଚ ୨୩ରେ ଲକଡାଉନ ଘୋଷଣା କରାଯାଇଥିଲା। ଆଉ ଏପ୍ରିଲ ୧୫ରେ କରୋନା ମାମଲା କମିବାକୁ ଲାଗିଲା। ନ୍ୟୁଜିଲାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୋଟ ୧,୫୭୦ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧,୫୨୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଖୁବ୍ ସ୍ୱଳ୍ପ ସମୟରେ କରୋନାକୁ କାବୁ କରିବାରେ ସଫଳ ହୋଇଥିବା ନ୍ୟୁଜିଲାଣ୍ଡକୁ ଡବ୍ଲ୍ୟୁଏଚଓଠୁ ଆରମ୍ଭ କରି ଅନେକ ଦେଶ ପ୍ରଶଂସା କରିଥିଲେ।