ସର୍କିଟ ଭିଜିଲାନ୍ସ କୋର୍ଟକୁ ନିୟମିତ କୋର୍ଟ ଦାବିରେ ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀ ସଂଘର ସ୍ମାରକ ପତ୍ର

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସର୍କିଟ କୋର୍ଟ ଭାବେ କାର୍ଯ୍ୟକ୍ଷମ ଥିବା ଭିଜିଲାନ୍ସ କୋର୍ଟକୁ ନିୟମିତ କୋର୍ଟ ଦାବିରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡା. ଏସ୍ ମୁରଲୀଧରଙ୍କୁ ନବରଙ୍ଗପୁରର ଜିଲ୍ଲା ଓ ଦୌରାଜଜ୍ ସଞ୍ଜୀବ ଦୁବେଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କୋର୍ଟ ସ୍ଥାପନ ପାଇଁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ପୂର୍ବରୁ ୨୦୧୬, ୨୦୧୭ ଓ ୨୦୧୮ମସିହାରେ ପ୍ରାୟ ୬ଥର ହାଇକୋର୍ଟଙ୍କୁ ସ୍ମାରକପତ୍ର ଜରିଆରେ ଦାବି ଉପସ୍ଥାପନ କରାଯାଇଛି । ପରେ ଏହାର ଯଥାର୍ଥତାକୁ ବିଚାରକୁ ନେଇ ହାଇକୋର୍ଟ ୨୦୧୮ ନଭେମ୍ବର୨୬ରେ ଭିଜିଲାନ୍ସ କୋର୍ଟର ଏକ ସର୍କିଟ ବ୍ୟାଞ୍ଚ୍ ସ୍ଥାପନ କରିଛନ୍ତି ଯାହାକି ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି । ଏହା ପ୍ରତି ମାସରେ ମାତ୍ର ୨ଦିନ ବସୁଥିବା ଯୋଗୁ ମାମଲା ଗୁଡ଼ିକର ବିଚାର ପ୍ରକ୍ରିୟା ବିଳମ୍ବ ହେଉଛି । ନବରଙ୍ଗପୁର ଏକ ଆଦିବାସୀ ଅଧୁଷିତ ଓ ଗରିବ ଅଧିବାସୀଙ୍କ ଜିଲ୍ଲା ହୋଇଥିବା ଯୋଗୁ ଏହି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ଉକ୍ତ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି । ଯଥାଶୀଘ୍ର ଏହି ନ୍ୟାର୍ଯ୍ୟ ଦାବି ପୂରଣ ନହେଲେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ ଓ ସମ୍ପାଦକ ରାମ ପ୍ରସାଦ ପାତ୍ର ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଭାପତି ଓ ସମ୍ପାଦକଙ୍କ ସହ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ସମରେଶ ଗନ୍ତାୟତ, ଅନୁପମା ଗନ୍ତାୟତ, ସୁବୋଧ ଚନ୍ଦ୍ର ବେନ୍ୟା, ଜେନିଫର ସୁନା, ପ୍ରଶାନ୍ତ କୁମାର ପଟ୍ଟନାୟକ, ମିନାକ୍ଷୀ ପାଢ଼ୀ ଓ ପଙ୍କଜିନୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।