କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲ କାର୍ଯ୍ୟାଳୟରେ ଏକ ଜମି ରେଜିଷ୍ଟ୍ରେସନକୁ ନେଇ ଜଣେ ଆଇନଜୀବୀ ଓ କେସିଙ୍ଗା ତହସିଲଦାରଙ୍କ ଯୁକ୍ତି ତର୍କ ବଢ଼ି ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ୮ ତାରିଖ ବୁଧବାର ଦିନ ୧୨ଟାରେ ଆଇନଜୀବୀ ଜଳନ୍ଧର ବେହେରା କ୍ରେତା ବିକ୍ରେତା ଓ ସାକ୍ଷ୍ୟଙ୍କୁ ନେଇ ତହସିଲ କାର୍ଯ୍ୟାଳୟ ରେଜିଷ୍ଟ୍ରେସନ ପାଇଁ ଯାଇଥିଲେ । ତେବେ ସ୍ଲଟ ବୁକିଙ୍ଗ ହୋଇନଥିବା ଓ ମୁଁ ରେଭନ୍ୟୁ ମିଟିଙ୍ଗରେ ଅଛିି ସେଥିପାଇଁ ରେଜିଷ୍ଟ୍ରେସନ ହୋଇପାରିବ ନାହିଁ ବୋଲି ତହସିଲଦାର ପ୍ରଶାନ୍ତି ପ୍ରଧାନ ମନା କରିବାରୁ ଶ୍ରୀ ବେହେରା ଆଜି ମଧ୍ୟ ଆଗରୁ ୨ଜଣଙ୍କ ରେଜେଷ୍ଟ୍ରି ହୋଇଛି ମ୍ୟାଡମ ବୋଲି କହିଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତି ତର୍କ ହୋଇ ପରେ ଉଗ୍ରରୂପ ନେଇଥିଲା ଫଳରେ ଉଭୟେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ତହସିଲଦାର ତାଙ୍କୁ ଜାତିସୂଚକ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଲୋକ ଲଗାଇ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଇନଜୀବୀ ଶ୍ରୀ ବେହେରା ଆଣିଛନ୍ତି । ଅନ୍ୟପଟେ ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ ଓ ପରେ ଏକାନ୍ତ ଦେଖି ପ୍ରକୋଷ୍ଠ ବାହାରେ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ଓ ସେ ଭୟଭୀତ ଥିବା ତହସିଲଦାର ଶ୍ରୀମତୀ ପ୍ରଧାନ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଉକ୍ତ ଘଟଣାରେ କେସିଙ୍ଗା ପୁଲିସ ଉଭୟଙ୍କ ଏତଲା ଗ୍ରହଣ କରି ତଦନ୍ତ କରୁଥିବା ଜଣା ପଡ଼ିଥିବାବେଳେ ଆଜି କେସିଙ୍ଗା ବାର ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଘଟଣାର ସମାଧାନ ଓ ଉଚିତ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟରେ କୌଣସି ଆଇନଜୀବୀ କାମ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ତହସିଲଦାର ଶ୍ରୀମତୀ ପ୍ରଧାନଙ୍କୁ ପଚାରିବାରୁ ମୁଁ ୩-୪ ଦିନ ହେବ ଯୋଗ ଦେଇଛି । ମୁଁ ମୋ ଷ୍ଟାଫଙ୍କୁ ମଧ୍ୟ ଭଲଭାବେ ଜାଣିନାହିଁ । ମୁଁ ନିଜେ ଜଣେ ଆଦିବାସୀ ମହିଳା ତାଙ୍କୁ କେମିତି ଜାତିସୂଚକ ଗାଳି ଦେବି । ଆଉ ମୁଁ ତାଙ୍କୁ ଆପଣଙ୍କ ସ୍ଲଟ ଅନଲାଇନ ହୋଇନାହିଁ ଆଉ ଯେଉଁ ୨ଟି ରେଜିଷ୍ଟ୍ରେସନ ହୋଇଛି ତାହା ମେଡିକାଲ ଗ୍ରାଉଣ୍ଡରେ ହୋଇଛି । ଆପଣ ଅପେକ୍ଷା କରନ୍ତୁ ଆମ ରେଜେଷ୍ଟ୍ରି ଷ୍ଟାଫ ଆସିଲେ ଦେଖିବା ବୋଲି କହିବାରୁ ସେ ରାଗିଯାଇ ମୋତେ ଅସଭ୍ୟ ଭାଷାରେ ଗାଳିି ଗୁଲଜ କରିଥିଲେ । ମୁଁ ପୁଲିସକୁ ଫୋନ କରିବାରୁ ସେ ସେଠାରୁ ପଳାଇ ଯାଇଥିଲେ । ମୁଁ ଥାନାରେ ଏତଲା ଦେଇଛି । ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଁ ଅପେକ୍ଷା କରିଛି ବୋଲି ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ।
ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ଘଟଣା ବିଷୟରେ ପଚାରିବାରୁ ହଁ ଆମେ ୨ଟି ଏତଲା ପାଇଛୁ ଏବଂ ସମାଧାନ ହେବ ବୋଲି ଅପେକ୍ଷା କରିଛୁ । ନଚେତ୍ ନିୟମ ଅନୁଯାୟୀ ଯାହାହେବ ଆମେ ତାହା କରିବୁ ବୋଲି ସେ ପ୍ରକାଶ କରିଥିଲେ । ତେବେ ଘଟଣା ଯାହାହେଉ ଏଭଳି ଘଟଣାକୁ ସମସ୍ତେ ନାପସନ୍ଦ କରିଥିବାବେଳେ ଲୋକଙ୍କୁ ଅସୁବିଧା ହେବା ପୂର୍ବରୁ ଘଟଣାର ସମାଧାନ ହେଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।