ମୁନିଗୁଡ଼ା,ଏନ୍ଏନ୍ଏସ୍: ମୁନିଗୁଡ଼ା ବ୍ଲକ୍ ଆଗୁଳ ଓ କୁମୁଡ଼ାବାଲି ପଞ୍ଚାୟତର କିଶୋରୀ ବାଳିକାଙ୍କ ଦଳର ସଭ୍ୟାମାନେ ଗତ ୨୦ ତାରିଖରେ ଏକ ଶୋଭାଯାତ୍ରା ଆୟୋଜନ କରି ନିଜ ଗ୍ରାମ ଓ ବିଦ୍ୟାଳୟ ପରିସରକୁ ସଫେଇ କରିବା ସହ ଚିତ୍ରାଙ୍କନ ପ୍ରତିଯୋଗିତା କରି ଗ୍ଲୋବାଲ ଆକ୍ସନ ମନ୍ଥ ପାଳନ କରିଛନ୍ତି । ଲିଭିଙ୍ଗ ଫାର୍ମସ ଓ ଲେକ୍ ଗାର୍ଡେନ ୱିମେନ୍ ଆଣ୍ଡ ଚାଇଲ୍ଡ ଡେଭେଲପମେଣ୍ଟ ସେଣ୍ଟରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ପ୍ରାଣୀମିତ୍ର, କୃଷିମିତ୍ର, ଆଶା କର୍ମୀ, ଶିକ୍ଷକ ଓ ସରପଞ୍ଚ ଯୋଗ ଦେଇଥିଲେ । କିଶୋରୀ ବାଳିକା ଦଳର ସଭ୍ୟମାନେ ପ୍ରଥମେ ଏକଜୁଟ ହୋଇ ମେରିଙ୍ଗ ଗ୍ରାମରୁ ପରିବେଶ ସୁରକ୍ଷା ଓ ବାଲ୍ୟ ବିବାହ ବନ୍ଦ କରିବା ବିଷୟରେ ସ୍ଲୋଗାନ ଦେଇ ରାଲି ଆରମ୍ଭ କରି ପୋଡ଼ିମସ୍କା ଗାଁ’ରେ ପହଞ୍ଚିଥିଲେ । ସେଠାରେ ସେମାନେ ଏକାଠି ହୋଇ ଗାଁ ଲୋକଙ୍କୁ ସାଥୀରେ ନେଇ ସଫେଇ କରିଥିଲେ। ଏହି ପଦଯାତ୍ରା ସମୟରେ ଲିଭିଙ୍ଗ ଫାର୍ମସ ବ୍ଲକ୍ ସଂଯୋଜକ ସ୍ମରଣିକା ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ପରେ ୨୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗ୍ଲୋବାଲ ଆକ୍ସନ ମନ୍ଥ ଉପଲକ୍ଷେ ପରିବେଶ ସୁରକ୍ଷା ଉପରେ ଏକ ଚିତ୍ରାଙ୍କନ ପ୍ରିଯୋଗିତା ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ମୁନିଗୁଡ଼ା, ବିଷମ କଟକ ଓ ଚନ୍ଦ୍ରପୁର ବ୍ଲକରେ କିଶୋରୀ ବାଳିକାମାନେ ଦଳ ଗଠନ କରି ପୁଷ୍ଟି, ସ୍ୱାସ୍ଥ୍ୟ ସୁରକ୍ଷା ଓ ନେତୃତ୍ୱ ବିକାଶ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ସଂପ୍ରତି କିଶୋରୀ ଦଳର ସଭ୍ୟମାନେ ପରିବେଶ ପାଇଁ ମଧ୍ୟ ଅଣ୍ଟା ଭିଡ଼ିଲେଣି । ଏହି ଗ୍ଲୋବାଲ ଆକ୍ସନ ମନ୍ଥ କାର୍ଯ୍ୟକ୍ରମକୁ ଝିଲି ବାତ୍ରା, ହେମନ୍ତ କୁଲେଶିକା ଆୟୋଜନ କରିଥିବାବେଳେ ବିଷମ କଟକ ବ୍ଲକ୍ ସଂଯୋଜକ ସୁକାନ୍ତ ବାଗ୍ ଧନ୍ୟବାଦ ଦେଇଥିଲେ ।