ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ଏନଇଇଟି)କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଏବେ ଏମବିବିଏସ୍, ବିଡିଏସ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ଏନଇଇଟି ଆବଶ୍ୟକ। ଘରୋଇ ଅଣସଂରକ୍ଷିତ ସଂଖ୍ୟାଲଘୁ ଧନ୍ଦାମୂଳକ କଲେଜ ଗୁଡ଼ିକରେ ମଧ୍ୟ ଏହା ଲାଗୁ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏନଇଇଟି ଦ୍ୱାରା ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଅଧିକାରର ଉଲ୍ଲଂଘନ ହେଉନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ମମାଲର ଶୁଣାଣି ହୋଇଛି।
ସୁପ୍ରିମକୋର୍ଟରେ ବେସରକାରୀ ଅଣସଂରକ୍ଷିତ ସଂଖ୍ୟାଲଘୁ ମହାବିଦ୍ୟାଳୟଗୁଡ଼ିକ ଏକ ନିବେଦନ କରିଥିଲେ ଯେ, ଏହା ଧାର୍ମିକ ସ୍ୱାଧୀନତାର ମୌଳିକ ଅଧିକାର ବିରୁଦ୍ଧ ଅଟେ। ଅଣସଂରକ୍ଷିତ ସଂଖ୍ୟାଲଘୁ ଅନୁଷ୍ଠାନରେ ଆଡମିଶନ ପାଇଁ ଏନଇଇଟି ସେମାନଙ୍କର କୌଣସି ମୌଳିକ ଅଧିକାରର ଉଲ୍ଲଂଘନ କରୁନାହିଁ ବୋଲି କୋର୍ଟ କହିଛନ୍ତି।
ତେବେ ମେଡିକାଲ୍ ସମ୍ବନ୍ଧୀୟ ପାଠ୍ୟକ୍ରମରେ ଆଡମିଶନ ପାଇଁ ଏନଇଇଟି ବାଧ୍ୟତାମୂଳକ ଅଟେ। ୨୦୧୬ ପୂର୍ବରୁ ମେଡିକାଲ ଆଡମିଶନ ପାଇଁ ଏଆଇପିଏମଟି ଦେବାକୁ ପଡୁଥିଲା। ଯାହା ମାଧ୍ୟମରେ ମେଡିକାଲ୍ ଛାତ୍ରମାନେ ଏମବିବିଏସ୍, ବିଡିଏସ୍, ଏମସ ପରି ପାଠ୍ୟକ୍ରମରେ ଆଡମିଶନ ପାଉଥିଲେ। ୨୦୧୬ ପରେ ଜାତୀୟ ସ୍ତରରେ କେବଳ ଗୋଟିଏ ପରୀକ୍ଷା ଆୟୋଜନ କରାଯାଉଛି। ଏହା ମାଧ୍ୟମରେ ସମସ୍ତ ମେଡିକାଲ କଲେଜଗୁଡ଼ିକ ଆଡମିଶନ ନେଉଛନ୍ତି।
କିନ୍ତୁ ବେସରକାରୀ ସଂଖ୍ୟାଲଘୁ ମେଡିକାଲ କଲେଜ ଗୁଡ଼ିକ ଏନଇଇଟିକୁ ବିରୋଧ କରୁଛନ୍ତି। ସେମାନେ କୋର୍ଟରେ ପକ୍ଷ ରଖିଥିଲେ ଯେ, ସମ୍ବିଧାନର ଧାରା ୩୦ରେ ସଂଖ୍ୟାଲଘୁମାନଙ୍କୁ ଅଧିକାର ଦିଆଯାଇଛି ଯେ ସେମାନେ ସେମାନଙ୍କର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଏବଂ ସମ୍ବିଧାନର ଧାରା ୩୦ର ପାରା ୫୦ରେ ଏହା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇଛି ଯେ ସଂଖ୍ୟାଲଘୁ ଅନୁଷ୍ଠାନମାନେ ନିଜ ପସନ୍ଦର ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇପାରିବେ। ବେସରକାରୀ ସଂଖ୍ୟାଲଘୁ ମେଡିକାଲ କଲେଜ ଏନଇଇଟିର କାର୍ୟ୍ୟାନ୍ୱୟନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଏବଂ ଏହା ଆମର ଅଧିକାରର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିଥିଲେ। ସୁପ୍ରିମକୋର୍ଟ ମମାଲର ଶୁଣାଣି କରି କହିଛନ୍ତି ଯେଏନଇଇଟି କୌଣସି ସଂଖ୍ୟାଲଘୁ ମହାବିଦ୍ୟାଳୟର ଅଧିକାର ଉଲ୍ଲଂଘନ କରୁନାହିଁ।