ଭଦ୍ରକରୁ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଡାକଡି ହେଲା ନିୟମ: ଔଷଧ ଦୋକାନ ଛଡା ସମସ୍ତ ଦୋକାନ ବନ୍ଦ ରହିବ

ଭଦ୍ରକ,ଏନ୍ଏନ୍ଏସ୍: ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଭଦ୍ରକ ଅଂଚଳର ବୋଲି ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଚେକିଂକୁ ଜୋରଦାର କରାଯାଇଛି। ଭଦ୍ରକ ଅଞ୍ଚଳର କେବଳ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ମାଇକ ଯୋଗେ ପ୍ରଚାର କରାଯାଉଛି।

ସେହିପରି ଜରୁରୀ ଖାଦ୍ୟ ସାମଗ୍ରୀ ଦୋକାନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି। ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରେଂଟାଇନରେ ରଖାଯାଇଛି।

ସୂଚନା ଅନୁଯାୟୀ ଏହି ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ। ଏବଂ ଗତ ୩୦ତାରିଖରେ ଭଦ୍ରକ ମେଡିକାଲରେ ନାମ ପଞ୍ଜିକରଣ କରିଥିଲେ। ଗତକାଲି ଏମ୍ସରେ ତାଙ୍କ ରକ୍ତ ନମୁନାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଦୁବାଇରୁ ଫେରିବା ପରେ ଆକ୍ରାନ୍ତ ଯୁବକ କେଉଁଠିକୁ ଯାଇଥିଲେ, କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ହେବ।