ବାଲ୍ୟ ବିବାହ ରୋକିଲା ପ୍ରଶାସନ

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ବ୍ଲକରେ ଥୁବା ଗ୍ରାମର ଗଙ୍ଗାଧର ସୁକ୍ରିଙ୍କ ଝିଅ (୧୭) ସହ ପରଟା ଗ୍ରାମର ଘେନୁ ଗୋଲରୀଙ୍କ ପୁଅ ବିବାହ ହେଉଥିଲା। କୌଣସି ସୂତ୍ରରୁ ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହ ସମ୍ପର୍କରେ ଖବର ପାଇଥିଲା। ପରେ ନନ୍ଦପୁରର ଭାରପ୍ରାପ୍ତ ସିଡିପିଓ ମୋନାଲିସା ଖେମୁଣ୍ଡା, କୁଲାରସିଂ ସୁପରଭାଇଜର ମଞ୍ଜୁବାଳା ନାୟକ, ଚାଇଲ୍ଡ ଲାଇନ ଅଧିକାରୀ ପଦଲାମ କୁଲଦୀପ, ଏଏନଏମ ନୀହାରିକା ଦୋରା, ଅଙ୍ଗନବାଡି କର୍ମୀ ଉଷାରାଣୀ ଜେନା, ଜୟନ୍ତୀ ମୁଦୁଲି, ପୁଷ୍ପା ରତନ ପ୍ରମୁଖ ଥୁବାକୁ ଯାଇଥିଲେ।

ସେଠାରେ ପହଞ୍ଚି ସମିତିସଭ୍ୟ ଅର୍ଜୁନ କିରସାନ, ନାଏବ ସରପଞ୍ଚ ଗଙ୍ଗାଧର ଗୋଲରୀ, ୱାର୍ଡ ସଭ୍ୟା ଯଶୋଦା ମାଝୀ ଓ ଅନ୍ୟାନ୍ୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। କନ୍ୟାକୁ ୧୮ ବର୍ଷ ହେବାପରେ ବିବାହ କରାଇବାକୁ ଦୁଇ ପକ୍ଷ ମଧ୍ୟରେ ଏକ ଚୁକ୍ତି କରାଯାଇଥିଲା। ଅପ୍ରାପ୍ତ ବୟସରେ ବିବାହ କରାଇବା ଆଇନ୍ ବିରୋଧୀ କାର୍ଯ୍ୟ ଓ ଭୟାବହତା ସମ୍ପର୍କରେ ବୁଝାଇ ଦୁଇ ପକ୍ଷ ସମ୍ମତି ପରେ ବିବାହ କାର୍ଯ୍ୟ ଆସନ୍ତା ବର୍ଷ କରିବାକୁ ସ୍ଥିର ହୋଇଥିଲା। ସେ ପର୍ଯ୍ୟନ୍ତ ଝିଅ ବାପଘରେ ରହିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ।