ଦେବଗଡ଼,ଏନ୍ଏନ୍ଏସ୍: ସମ୍ପ୍ରତି କରୋନାର ତୃତୀୟ ଲହର ଓ ଓମିକ୍ରନର ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଓ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ ପୌର କର୍ମଚାରୀଙ୍କ ସହ ପୌରାଞ୍ଚଳର ବିଭିନ୍ନ ଜନଗହଳି ଅଞ୍ଚଳରେ ଜନସାଧାରଣଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା ପାଇଁ ସଚେତନ କରିଛନ୍ତି। ଏଥିସହିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଯାଞ୍ଚ କରି ଗହଳି ନ କରିବାକୁ ପରାମର୍ଶ ଦେବାସହ ଏହାର ଖିଲାପ ହେଲେ ଦୋକାନ ସିଲ କରାଯିବା ନେଇ ଚେତାବନୀ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି। ସେହିପରି ପୌରପରିଷଦ ଓ ଜିଲ୍ଲା ପୁଲିସ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ ଗାଇଡଲାଇନ ପାଳନ ନେଇ ବାର୍ତ୍ତା ପ୍ରଦାନ କରୁଛି। ଦୈନିକ ପରିବା ବଜାରକୁ ସ୍ଥାନାନ୍ତର ପାଇଁ ପୌର ପ୍ରଶାସନ ବିଚାର କରୁଥିବାବେଳେ ପୁଲିସ ପକ୍ଷରୁ ଗତକାଲି ରାତିରୁ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିସହିତ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନକୁ ସହଯୋଗ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ ଅନୁରୋଧ କରିଛନ୍ତି।