ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ, ପଶୁ ବଳିରେ ରକ୍ତ ରଞ୍ଜିତ ଶୈବପୀଠ

ସଇଁନ୍ତଳା,କେସିଙ୍ଗା,ଏନ୍ଏନ୍ଏସ୍: ରକ୍ତ ରଞ୍ଜିତ ହୋଇପଡିଛି ଶୈବପୀଠ। ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ। ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗମରେ ଥିବା ଐତିହାସିକ ସପ୍ତମାତୃକା ଶୈବପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳି ଦିଆଯାଇଛି। ଓଡ଼ିଶାର ଶୈବପୀଠରେ ବଳି ଦେବାର ପରମ୍ପରା ବିରଳ ହୋଇଥିବା ବେଳେ ଏଠାରେ ଶୈବ ଓ ସାକ୍ତର ମିଳନ ଦେଖିବାକୁ ମିଳେ। ଗତକାଲି ମଧ୍ୟ ରାତ୍ରିରେ ମା’ ଭୈରବୀ ତାଳଭରା ଗାଁ’ରେ ଥିବା ମୁଖ୍ୟ ପୂଜକ ଦ୍ଵାରିକା ପ୍ରସାଦ ସିଂଙ୍କ ଘରୁ ବାହାରି ଭୋରରେ ଧବଳେଶ୍ୱର ପୀଠରେ ପହଞ୍ଚି ଥିଲେ। ଆଦିବାସୀ ବିଶ୍ୱାସ ଅନୁସାରେ ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ୱରଙ୍କ ମନ୍ଦିରରୁ ମା’ ଭୈରବୀଙ୍କୁ ଚଣ୍ଡୀ କାଳିସି ରୂପରେ ଦେବ ମୁହାଣ ପର୍ଯ୍ୟନ୍ତ ଅଣାଯାଇଥିଲା। ଦେବ ମୁହାଣରେ କଳାହାଣ୍ଡି ରାଜାଙ୍କ ଦ୍ଵାରା ଅଣାଯାଇଥିବା ବୋଦାକୁ ବଳି ଦିଆଯାଇଥିଲା।

ପ୍ରଥାନୁଯାୟୀ କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ ଓ ଫୁଲବାଣୀର ଅଠର ମାଝୀ ଷୋହଳ ପଧାନୀ ଆଦିବାସୀମାନଙ୍କ ଠାରୁ ଅରୁଆ ଚାଉଳ, ଫୁଲ, ସିନ୍ଦୂର ଏବଂ ଟାଙ୍ଗିଆ ଆସିବା ପରେ ସିଦ୍ଧେଶ୍ୱରୀ ପୀଠରେ ପୂଜା କରାଯାଇଥଲା। ପରେ ସିଦ୍ଧେଶ୍ୱରୀ ଚଣ୍ଡିଙ୍କ ଠାରେ ମନସ୍କାମନା କରିଥିବା ଭକ୍ତମାନେ ଆଣିଥିବା ବୋଦାକୁ ବଳି ଦିଆଯାଇଥିଲା। ଏଠାରେ ଆଜି ପ୍ରାୟ ୩ ଶହରୁ ଅଧିକ ବଳି ପଡିଥିବା ଦେଖିବାକୁ ମିଳିଛି।

ଏଠାରେ ମନସ୍କାମନା ପାଇଁ ଦେବୀଙ୍କୁ ମନାସିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି। ପ୍ରାଚୀନକାଳରେ ଏଇ ଅଞ୍ଚଳରେ କନ୍ଧମାନେ ବସବାସ କରିଆସୁଥିଲେ। ଏଠାରେ ସପ୍ତମାତୃକା ପୂଜା କରାଯାଉଥିବା ବେଳେ ଐତିହାସିକ ମତରେ ଏହି ମନ୍ଦିରଟି ନବମ ଶତାଦ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ। ଏହି ମନ୍ଦିରଟି ଉତେଇ ଓ ତେଲ ନଦୀର ସଙ୍ଗମରେ ଅବସ୍ଥିତ ଥିବା ଏବଂ ନଦୀର ଦୁଇ କୂଳରେ ଦୁଇଟି ଶିବ ମନ୍ଦିର ଥିବାରୁ ଏଠାରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ସୋନପୁର, ବୌଦ୍ଧ, ଫୁଲବାଣୀ ତଥା ପଡୋଶୀ ଛତିଶଗଡ଼ ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନି ମେଳା, ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାମଯଜ୍ଞର ଆୟୋଜନ କରାଯାଇନାହିଁ। କେବଳ ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ଧବଳେଶ୍ୱରଙ୍କର ମହାଶିବରାତ୍ରି ପାଳନ ହୋଇଥିବା ଦେଖିବାକୁ ମିଳିଛି।