ବିଜନେସ୍ ହବ୍ ପାଲଟିଲା ଆଦିବାସୀ ମେଳା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନଜାତି ଜୀବନର ମହାକୁମ୍ଭ ରୂପେ ପରିଚିତ ଆଦିବାସୀ ମେଳା ରବିବାର ସଂଧ୍ୟାରେ ଖାରବେଳ ନଗରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଉଦ୍ୟାପିତ ହୋଇଛି । ରାଜ୍ୟର ୬୨ଟି ବର୍ଗର ଆଦିବାସୀ ମାନଙ୍କର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ନିଖୁଣ ଚିତ୍ର ବହନ କରୁଥିବା ଏହି ମେଳା ରାଜଧାନୀ ବାସୀଙ୍କ ପାଇଁ ଆଣି ଦେଇଥିଲା ନିଆରା ଅନୁଭୂତି । ବିଗତ ୧୫ ଦିନ ଧରି ଚାଲିଥିବା ଏହି ମେଳାର ପ୍ରତି ସନ୍ଧ୍ୟାରେ ବିିଭିନ୍ନ ଆଦିବାସୀ ସଂପ୍ରଦାୟର ପାରମ୍ପରିକ ନୃତ୍ୟ, ସଂଗୀତ ଓ ବାଦ୍ୟ ଯନ୍ତ୍ରର ମଧୁର ମୂର୍ଚ୍ଛନାରେ ଝଙ୍କୃତ ହୋଇ ଉଠିଥିଲା ମେଳା ପରିସର ।

ଚଳିତ ବର୍ଷ ମେଳାର ଯେଉଁ ଦିଗ ଗୁଡ଼ିକ ଦର୍ଶକ ମାନଙ୍କୁ ବିଶେଷ ପ୍ରଭାବିତ ଓ ଆକର୍ଷିତ କରିଥିଲା, ତାହା ମଧ୍ୟରେ ଥିଲା ଲବଧ ପ୍ରତିଷ୍ଠ ଚିତ୍ରଶିଳ୍ପୀ ଓ କଳାକୃତି ବିଶେଷଜ୍ଞମାନଙ୍କ ପରାମର୍ଶକୁ ଆଧାରକ ରି ନିର୍ମିତ ହୋଇଥିବା ସୌନ୍ଦର୍ୟ୍ରପୂର୍ଣ୍ଣ ଆଦିବାସୀ ଗ୍ରାମ । ଏହାର ନିର୍ମାଣ ଶୈଳୀ ଏଭଳି ଚମକ୍ରାର ହୋଇଥିଲା ଯେ, ଦର୍ଶକମାନେ ସହର ଭିତରେ ଆଦିବାସୀ ଗ୍ରାମର ବାସ୍ତବ ସତାକୁ ବେଶ୍ ଅନୁଭବ କରିପାରିଥିଲେ । ମହିଳା ସଶକ୍ତିକରଣ ମନ୍ତ୍ରକୁ ପ୍ରଚାର ଓ ପ୍ରସାର କରିବା ମେଳାର ଅନ୍ୟତମ ଆଭିମୁଖ୍ୟ ଥିଲା । କାରଣ ଅଧିକାଂଶ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରିବାରେ ମହିଳାମାନେ ବିଶେଷ ଆଗଭର ଥିବାର ଲକ୍ଷ୍ୟ କରାଯାଇଥିଲା ।

ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମାନଙ୍କ ଦ୍ୱାରା ସଂଗୃହୀତ ବନଜାତ ପଦାର୍ଥ ଗୁଡ଼ିକର ବହୁଳ ପ୍ରଦର୍ଶନ ଓ ବିକ୍ରି ନିମନ୍ତେ ଆଦିବାସୀ ମେଳା ଏକ ବଡ଼ ବଜାର ସୃଷ୍ଟି କରି ପାରିଛି । ରାଜଧାନୀର ସାଧାରଣ ଓ ସ୍ୱଚ୍ଛଳ ପରିବାରର ମହିଳାମାନେ ନିଜର ଘରକରଣ ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ କ୍ରୟ କରିବାକୁ ଷ୍ଟଲ ଗୁଡ଼ିକରେ ଯେପରି ଭିଡ଼ ଜମାଇ ଥିଲେ, ତାହା ଏକ ନିଆରା ଅନୁଭୂତି ଆଣିଥିଲା । ଏଥର ଆଦିବାସୀ ମେଳାରେ ୮ କୋଟି ଟଙ୍କାରୁ ଅଧିକ କାରବାର ହୋଇଥବବାର ପ୍ରାଥମିକ ଅଟକଳରୁ ଜଣାପଡ଼ିଛି ।

ପ୍ରତିକୂଳ ପାଗ ଯୋଗୁଁ ଶେଷ ଦୁଇ ତିନି ଦିନ ମେଳାରେ କାରବାର କିଛିଟା ଧିମେଇ ଯାଇଥିଲେ ମଧ୍ୟ ଶେଷ ସନ୍ଧ୍ୟାରେ ବିଭିନ୍ନ ଷ୍ଟଲରେ ଅପେକ୍ଷାକୃତ ଭିଡ଼ ଦେଖିବାକୁ ମିଳିଥିଲା । ମୁକ୍ତ ମଂଚ ଉପରେ ଅନୁଷ୍ଠିତ ଆଜିର ଉଦଯାପନ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ନିର୍ଦ୍ଧେଶକ ଶ୍ରୀ ସଚିନ ଯାଦବ ଓ ସଦସ୍ୟ ସଚିବ ଡଃ. ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମେଳାରେ ପ୍ରଦର୍ଶିତ ବିଭିନ୍ନ ବିଭାଗକୁ ପୁରସ୍କୃତ କରାଯାଇଥିଲା । ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ୟ୍ୟକ୍ରମରେ ଗୁଣୁପୁରର କଳାକାରମାନେ ଲାଞ୍ଜିଆ ସଉରା ଓ ସଉରା, ବାରିପଦାର କଳାକାରମାନେ ସାନ୍ତା, ବାଥୁଡ଼ି ଓ ଛଉ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ ।