ଆଦିବାସୀଙ୍କ ପ୍ରଜାମେଳି: ମୁଦୁଲିଗୁଡ଼ାକୁ ନୂତନ ପଂଚାୟତ ଦାବୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଂଚଳରେ ଥିବା ନାକାମାମୁଡ଼ି ପଂଚାୟତର ମୁଦୁଲିଗୁଡ଼ାକୁ ନୂତନ ପଂଚାୟତ କରିବା ପାଇଁ ଆଦିବାସୀଙ୍କ ପ୍ରଜାମେଳି ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏହି ପ୍ରଜାମେଳିରେ ନାରିଙ୍ଗିଝୋଲାର ଧବୁଲୁ ମୁଦୁଲି, ମଙ୍ଗଗୁଳୁ ଶିଶା, ଖଜୂରୀଗୁଡ଼ା ଗ୍ରାମର ବାନା କିସାନୀ, ନାକାମାମୁଡ଼ି ଗ୍ରାମର ମଦନ ଖରାଙ୍କ ସମେତ ବହୁ ନେତା ଯୋଗଦେଇ ନାକାମାମୁଡ଼ି ପଂଚାୟତ କାର୍ଯ୍ୟାଳୟକୁ କିମ୍ବା କୋରୁକୋଣ୍ଡା ବ୍ଲକ ଖଜୂରୀଗୁଡ଼ା ଲଂଚ ଘାଟରୁ ଜଳ ପଥ ଦେଇ ଡାଇକ-୩ ଗ୍ରାମରୁ ଏକ ଲଂଚ ଯୋଗେ ଘାଟକୁ ଯିବାକୁ ପଡ଼ୁଛି ଏବଂ ସେଠାରୁ ପ୍ରାୟ ୫କିମି ନାକାମାମୁଡ଼ି ପଂଚାୟତକୁ ଯିବାକୁ ପଡ଼ୁଛି। ଏଥିପାଇଁ ୩ ରୁ ୪ ଘଂଟା ସମୟ ଲାଗୁଛି। ପ୍ରତ୍ୟେକ ମାସରେ ପି.ଡି.ଏସ ଚାଉଳ, କିରୋସିନି, ଗହମ , ବାର୍ଦ୍ଧକ୍ୟ ଭତା, ବିଧାବା ଭତା ପାଇଁ ଜଳ ପଥରେ ପ୍ରାୟ ୬୦ କିଲୋମିଟର ଯିବାକୁ ପଡ଼ୁଛି।

ଏଥିପାଇଁ ବହୁତ ସମୟ ଅପଚୟ ହେବା ସହ ପଂଚାୟତକୁ ଯିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଅଭିଯୋଗ କରିଥିଲେ। ବହୁ ବର୍ଷରୁ ଗ୍ରାମବାସୀଙ୍କ ପକ୍ଷରୁ ମୁଦୁଲିଗୁଡ଼ାକୁ ପଂଚାୟତ କରିବାକୁ ଦାବୀ କରାଯାଉଥିଲେ ମଧ୍ୟ ଇତିମଧ୍ୟରେ ୪ ଜଣ ଜିଲ୍ଲାପାଳ ବଦଳି ହୋଇ ଚାଲିଗଲେଣି। ଜିଲ୍ଲା ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି। ଏଣୁ ସରକାର ସେମାନଙ୍କ ସମସ୍ୟାକୁ ବିଚାର କରିବାକୁ ଦାବୀ କରିଛନ୍ତି। ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ହେବା ପରେ ସ୍ୱାଭିମାନ ଅଂଚଳର ସମସ୍ୟା ଦୂର ହେବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବର୍ତମାନ ମଧ୍ୟ ଏଭଳି ଏଭଳି ୧ ଶହରୁ ଉର୍ଦ୍ଧ ଗ୍ରାମ ରହିଛି, ଯେଉଁ ଗ୍ରାମକୁ ଯିବାକୁ ହେଲେ କେବଳ ଲଂଚ ହିଁ ସାହାଭରସା। ତେଣୁ ଏଭଳି ଗ୍ରାମବାସୀଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇନପାରେ। ଏହି ପ୍ରଜାମେଳିରେ ୪ ଟି ପଂଚାୟତର ପ୍ରାୟ ୨୦ ରୁ ଉର୍ଦ୍ଧ ଗ୍ରାମର ଏକ ହଜାରରୁ ଉର୍ଦ୍ଧ ଲୋକେ ଅଂଶ ଗ୍ରହଣ କରିଥିଲେ।