ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ରୋକିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଆକ୍ସନଏଡ୍ ଏବଂ ୟୁନିସେଫର ରାଜ୍ୟ ସଂଯୋଜକ ପ୍ରଭାତ ଶତପଥୀ, ଜିଲ୍ଲା ସଂଯୋଜକ ପ୍ରସନ୍ନ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦ୍ଧବ ଚରଣ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବାଲାଜୀ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସାକିଲା ଚରଣ ବାସ୍କେ, ଡିଆଇସିଏନ୍ ୱାଇକେର ହରିଶ ରୁପାଲୁ ଯୋଗଦେଇଥିଲେ।
ଓଡ଼ିଶାରେ ବାଲ୍ୟ ବିବାହରେ ମାଲକାନଗିରି ଜିଲ୍ଲା ଏକ ନମ୍ବରରେ ଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇବାସହ ଏହାକୁ କିପରି ରୋକାଯାଇ ପାରିବ, ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବାଲ୍ୟ ବିବାହ ଦେଇଥିବା ବର ଏବଂ କନ୍ୟାଙ୍କ ପିତା ଓ ମାତାଙ୍କ ସହ ମଧ୍ୟସ୍ଥିଙ୍କ ବିରୋଧରେ ଆଇନନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ଗ୍ରାମାଞ୍ଚଳରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷ କରି ସବୁ ବିଭାଗର ସମନ୍ୱୟରେ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କ ବୟସ ସଂଗ୍ରହ ସହ ପରିବାରର ଠିକଣା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ କମ୍ ବୟସରେ ପିତାମାନେ ସେମାନଙ୍କୁ ବିବାହ ଦେବେ ନାହିଁ। ଶିକ୍ଷା ଛାଡ଼ି ଥିବା ପିଲାମାନଙ୍କୁ ୧୮ ବର୍ଷ ବୟସ ପୂର୍ବର ପୁନଃର୍ବାର ବିଭିନ୍ନ ବିଦ୍ୟାଳୟର ହଷ୍ଟେଲରେ ନାମ ଲେଖାଯାଇ ଶିକ୍ଷାଦାନ ସହ ୧୮ ବର୍ଷ ପରେ ବିବାହ କଲେ ଆଇନଗତ ସମସ୍ୟାରୁ ମୁକ୍ତି ମିଳିବ ଓ ନିଜର ଭବିଷ୍ୟତ ସନ୍ତାନର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଘଟିବ ବୋଲି ସେମାନଙ୍କୁ ସଚେତନ କରାଯିବାକୁ ସ୍ଥିର କରାଯାଇଛି ।
ଏଥିସହ ପ୍ରତି ୱାର୍ଡରେ ୱାର୍ଡ ମେମ୍ବର, ପେଦା ଏବଂ ଗ୍ରାମବାସୀଙ୍କୁ ନେଇ ବାଲ୍ୟ ବିବାହ ସମ୍ବନ୍ଧରେ ସଚେତନ କରାଯିବା ସହ ଯଦି କୌଣସି ବ୍ୟକ୍ତି ଏହି ଆଇନକୁ ଉଲ୍ଲଂଘନ କରନ୍ତି ସେଥିପାଇଁ ସମ୍ପୃକ୍ତ ୱାର୍ଡ ମେମ୍ବର କିମ୍ବା ଗ୍ରାମ ମୁଖିଆଙ୍କୁ ଦାୟୀ କରାଯାଇ ମାମଲା ରୁଜୁ କରାଯିବ, ସମସ୍ତ ଗ୍ରାମବାସୀଙ୍କୁ ବାଲ୍ୟ ବିବାହ ନକରିବା ପାଇଁ ଶପଥ ପାଠ କରାଯିବ। ସେହିପରି ପଞ୍ଚାୟତ, ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ଜନପ୍ରତିନିଧି, ବିଭିନ୍ନ ସମ୍ପ୍ରଦାୟ ସଙ୍ଗଠନର ମୁଖିଆ, ସ୍ୱେଚ୍ଛା ସେବୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସଚେତନ ବୈଠକ କରାଯିବା ପରେ ଶପଥ ପାଠ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ସାଇକେଲ୍ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ବ୍ୟାନର, ପୋଷ୍ଟର ଡାକବାଜି ଯନ୍ତ୍ର ଦ୍ୱାରା ବାଲ୍ୟ ବିବାହ ଏକ ଅପରାଧ ଏବଂ ଏଥିରୁ ନିବୃତ୍ତ ପାଇଁ ଜିଲ୍ଲାବାସୀଙ୍କୁ ସଚେତନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଅଙ୍ଗନୱାଡି କର୍ମୀମାନେ ସେହି ଗ୍ରାମର ଯୁବକ ଯୁବତୀଙ୍କ ବୟସର ତାଲିକା ସଂଗ୍ରହ କରିବେ। ବାଲ୍ୟ ବିବାହ ଧରା ପଡ଼ିଲେ ସେମାନଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତି ଥାନାରେ ଥିବା ମହିଳା ନୋଡାଲ୍ ଅଧିକାରୀ ସ୍ୱତନ୍ତ୍ର ଭାବେ ବାଲ୍ୟ ବିବାହ ମାମଲା ତଦାରଖ କରିବେ। ମାଲକାନଗିରି ଜିଲ୍ଲାରେ ସବୁଠାରୁ ୫୨ ପ୍ରତିଶତ ଅନୁସୂଚିତ ଜନଜାତି, ୪୦ ପ୍ରତିଶତ ଅନୁସୂଚିତ ଜାତି, ୮ ପ୍ରତିଶତ ଅନ୍ୟାନ୍ୟ ବର୍ଗର ଲୋକମାନେ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଥିବା ଏକ ସର୍ଭେରୁ ଜଣାପଡ଼ିଛି ।
୨୦୧୮ – ୧୯ ରେ ମାଲକାନଗିରି ଜିଲ୍ଲାରେ ୧୪୩ ଟି ବାଲ୍ୟ ବିବାହ ହୋଇଥିବା ଡିସିପିଓ ଶ୍ରୀ ଦାସ ପ୍ରକାଶ କରିଥିଲେ। ଏହାକୁ କଡ଼ାକଡ଼ି କରିବା ପାଇଁ ଆସନ୍ତା ଏପ୍ରିଲ୍ ମାସ ଠାରୁ ସମସ୍ତ ବିଭାଗ, ଚାଇଲ୍ଡ ଲାଇନ୍, ୟୁନିସେଫ୍, ଆକ୍ସନଏଡ୍ ତରଫରୁ ଗୃହୀତ ପଦକ୍ଷେପ ନେବା ପାଇଁ ଜିଲ୍ଲା ନୋଡାଲ୍ ଅଧିକାରୀ ତଥା ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ପ୍ରତ୍ୟେକ ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ବିଭିନ୍ନ ବ୍ଲକର ପଦାଧିକାରୀ, ସ୍ୱଂୟସହାୟକ ଗୋଷ୍ଠୀର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ।