ଜଙ୍ଗଲ ଜମିକୁ ରାଜସ୍ୱ ଜମି ଦେଖାଇ ଖଣି ପାଇଁ ଅନୁମତି ଦେଲେ ରାଜସ୍ୱ ବିଭାଗ: ବନବିଭାଗ କହୁଛି ତାହା ସୁରକ୍ଷିତ ଜଙ୍ଗଲ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ବନ ବିଭାଗ ଏବଂ ରାଜସ୍ୱ ବିଭାଗ ଟଣା ଓଟରାରେ ବଳି ପଡିଛନ୍ତି ଜଣେ ଖଣି ଲିଜ୍ ଧାରୀ। କ୍ରସର ମେସିନ ବସାଇ ମେଟାଲ, ବୋଲଡର ବିକ୍ରି କରି କିଛି ଅର୍ଥ ରୋଜଗାର କରିବା ପାଇଁ ଲିଜଧାରୀ ସମସ୍ତ କାଗଜପତ୍ର ଦାଖଲ କଲାପରେ ରାଜସ୍ୱ ବିଭାଗ ଅଧିକାରୀ ମାନେ ସର୍ଭେ କରି ୬.୩୩୩ ଏକର ସ୍ଥାନ ଚିହ୍ନଟ କରିବା ପରେ ଲିଜ ଦିଆଯାଇଥିଲା। କିନ୍ତୁ କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ଲିଜଧାରୀ ବନ ବିଭାଗ ଦ୍ୱାରା ଗିରଫ ହେବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ସଦର ତହସିଲ ଚଲାଣଗୁଡା ପଂଚାୟତ ରେଙ୍ଗାବନ୍ଧ ଗ୍ରାମ ନିକଟ ଏକ ଜଙ୍ଗଲିଆ ଅଂଚଳରେ ବିଜୟ ସାହୁ ନାମକ ଜଣେ ଲିଜଧାରୀ କ୍ରସର ବସାଇବା ପାଇଁ ସବୁ ପ୍ରକାର ଆନୁସଙ୍ଗିକ ନଥିପତ୍ର ଏବଂ ଅର୍ଥ ରାଜସ୍ୱ ବିଭାଗ ନିକଟରେ ଦାଖଲ କରିଥିଲେ। ପାଂଚବର୍ଷ ପାଇଁ ଶ୍ରୀ ସାହୁଙ୍କୁ ଲିଜ୍ ଦିଆ ଯାଇଥିଲା। ଖଣି ନିଗମ ଚିଠି ସଂଖ୍ୟା ୨୫୯୯/ଏକ୍ସ.ଆଇ.ଭି. , ତାରିଖ ୨୨/୦୭/୨୦୧୬ ରେ ଶ୍ରୀ ସାହୁଙ୍କୁ ଆଦେଶ ଦିଆ ଯାଇଥିଲେ ମଧ୍ୟ ଶ୍ରୀ ସାହୁ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଖଣି ନିଗମ ମାଲକାନଗିରି ରାଜସ୍ୱ ବିଭାଗ ସହ ଏହି ଅଂଚଳ ସର୍ଭେ କରି ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଯେଉଁ ଅଂଚଳ ଶ୍ରୀ ସାହୁଙ୍କୁ ଲିଜ୍ ଦିଆଯାଇଛି ସେହି ସ୍ଥାନ ରାଜସ୍ୱ ବିଭାଗ ଅଧିନରେ ଥିବା ଜମି।

ସେହି ସ୍ଥାନଟି ୧୯୫୧ ମସିହା ଟପସିଟି ନକ୍ସା ଅନୁଯାୟୀ ସିଆଡିମାଳ ସଂରକ୍ଷିତ (ରିଜର୍ଭ ଜଙ୍ଗଲ) ଜଙ୍ଗଲ ପର୍ବତମାଳା ଭାବେ ଦର୍ଶା ଯାଇଛି। ପରବର୍ତୀ ମୁହୂର୍ତରେ ୧୯୯୨ ମସିହାରେ ଏହା ସଂର କ୍ଷିତ ଜଙ୍ଗଲ ପରିବର୍ତେ ବନ ବିଭାଗ ରେକର୍ଡରେ ସୁରକ୍ଷିତ (ପ୍ରଟେକ୍ଟେଡ୍) ଜଙ୍ଗଲ ଭାବେ ଦର୍ଶା ଯାଇଛି। ଲିଜ ସ୍ଥାନଟି ସିଆଡିମାଳ ସୁରକ୍ଷିତ ଅଂଚଳ ହୋଇଥିବା ବେଳେ କିଭଳି ରାଜସ୍ୱ ବିଭାଗ ଜାଗା ଚିହ୍ନଟ କରି ଶ୍ରୀ ସାହୁଙ୍କୁ ଲିଜ ଦେଇଛନ୍ତି ବୋଲି ସହକାରୀ ବନସଂରକ୍ଷକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ରାଜସ୍ୱ ଏବଂ ଖଣି ବିଭାଗ ବନ ବିଭାଗର ବିନା ଅନୁମତିରେ କିମ୍ବା ଅଗୋଚରରେ କିପରି ଠିକାଦାରଙ୍କୁ ଅନୁମତି ଦେଲେ ତାହାର ତଦନ୍ତ କରା ଯିବ। ଅନ୍ୟ ପକ୍ଷରେ ସେହି ଅଂଚଳରେ ଗଛ କଟା ଯାଇଥିବାରୁ ବନ ବିଭାଗ ବିଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ କୋର୍ଟରୁ ଶ୍ରୀ ସାହୁ ଜାମିନରେ ଆସିଥିବା ଜଣାପଡିଛି।

ଶ୍ରୀ ସାହୁ ଯେଉଁ ସ୍ଥଳରେ କ୍ରସର ବସାଇବାକୁ ଯାଉଥିଲେ ସେ ସ୍ଥାନରେ କ୍ରସର କରିବାକୁ ପାଇଁ ତାଙ୍କୁ ବାରଣ କରା ଯାଇଥିଲା। କିନ୍ତୁ ଯେଉଁ ଜାଗାକୁ ପଥର ନେବା ପାଇଁ ଲିଜ୍ ଦିଆ ଯାଇଛି ଓ ତାହା ରାଜସ୍ୱ ବିଭାଗର ବୋଲି ମାଲକାନଗିରି ତହସିଲଦାର ଡ. ଗୁଣନିଧି ନାୟକ ପ୍ରକାଶ କରିଛନ୍ତି। ତେବେ ବନ ବିଭାଗ ସେହି ସ୍ଥାନ ତାଙ୍କର ବୋଲି ଦାବି କରୁଥିବା ବେଲେ ରାଜସ୍ୱ ବିଭାଗ ତାଙ୍କର ବୋଲି ଦାବି କରୁଛନ୍ତି। ତେବେ ବନ ବିଭାଗ ଓ ରାଜସ୍ୱ ବିଭାଗର ସମନ୍ୱୟ ରହୁ ଥିବାରୁ ରାଜସ୍ୱ ବିଭାଗ ଖଣି ପାଇଁ ନିଜସ୍ୱ ଜମି ଦର୍ଶାଇ ଠିକାଦାର ମାନଙ୍କୁ ଲିଜ୍ ଦେଉଛନ୍ତି। ତେବେ ନିୟମ ଅନୁଯାୟୀ ଲିଜ ନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଜଣେ ନିରୀହ ବ୍ୟକ୍ତି ଗିରଫ ହେବା ଘଟଣାକୁ ନେଇ ଜିଲ୍ଲାରେ ଆଲୋଚନା ହେଉଛି। ତେବେ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଇଛି।