ବସ୍ ଧକ୍କାରେ ଆଇଆରବି ଯବାନ ଓ ହୋମ୍ ଗାର୍ଡ ମୃତ

ଭବାନୀପାଟଣା,୨ା୯/ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କୋକସରାରେ ଏକ ବସ୍ ଧକ୍କାରେ ୨ଜଣ ଯବାନଙ୍କ ମୃତ୍ୟୁ ଘଟଥିବା ବେଳେ ଜଣେ ଗୁରତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଜୟପାଟଣା ବ୍ଲକ୍ ଉଛୁଲା ପଞ୍ଚାୟତ ପାଣ୍ଡିରିପଖାନ ଗାଁର ଆଇଆର୍ବି ଯବାନ କ୍ଷୀରସିନ୍ଧୁ ଧରୁଆ(୨୫) ଏବଂ କୋକସରା ବ୍ଲକ୍ ରେଙ୍ଗାଲବାଲି ପଞ୍ଚାୟତ ଅନ୍ତର୍ଗତ ପାଣି ଗାଁର ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ନାଏକ(୪୫)। ସେହିପରି ଆହତ ଜଣକ ହେଲେ ବିଘ୍ନେଶ୍ୱର ପଟ୍ଟନାୟକ।

ପୂର୍ଣ୍ଣଚନ୍ଦ୍ର ନାଏକ କୋକସରାରୁ ମୋଟେର ଫାଣ୍ଡିକୁ ଯିବା ପାଇଁ ମାଲକାନଗିରିରୁ ସମ୍ବଲପୁରକୁ ଯାଉଥିଲେ। ସେହି ସମୟରେ ଗୌରଭ ନାମକ ଏକ ଯାତ୍ରୀବାହୀ ବସ୍କୁ ଅଟକାଇବା ବେଳେ ବସ୍ଟି ଅଟକି ନଥିଲା। ପରେ ପୂର୍ଣ୍ଣଚନ୍ଦ୍ର ତାଙ୍କ ୨ବନ୍ଧୁଙ୍କୁ ଏକ ବୁଲେଟ୍ ମୋଟରସାଇକଲରେ ବସାଇ ବସ୍କୁ ଅଟକେଇବା ପାଇଁ ଓଭରଟେକ କରୁଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପୂର୍ଣ୍ଣଚନ୍ଦ୍ରଙ୍କ ସମେତ ତାଙ୍କ ୨ବନ୍ଧୁ ବାଇକ୍ ସହ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପାଚେରିରେ ପିଟିହୋଇ ଛିଟିକି ପଡିଥିଲେ। ଖବରପାଇ କୋକସରା ପୁଲିସ୍ ପହଞ୍ଚି ତିନିଜଣ ଯୁବକକଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର କ୍ଷୀରସିନ୍ଧୁ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବରକୁ ନେଇ ଡାକ୍ତରଖାନା ପରିସରରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଶବ ବ୍ୟବଚ୍ଛେଦ ପରେ ପାଣିଗାଁ ଗ୍ରାମବାସୀ ଥାନା ଆଗରେ ଶବକୁ ରଖି ରାସ୍ତା ଅବରୋଧ କରିଥିଲେ। କୋକସରା ଅତିରିକ୍ତ ତହସିଲଦାର ଶରତଚନ୍ଦ୍ର ଶବର, ଧର୍ମଗଡ଼ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ପହଞ୍ଚି ପୁଲିସ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ମୃତ ହୋମଗାର୍ଡଙ୍କ ପୁଅଙ୍କୁ ନିଯୁକ୍ତି ଦେବା ସହ ସରକାରୀସ୍ତରରେ କ୍ଷତିପୂରଣ ଓ ସହାୟତା ମିଳିବା ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପଟେ ଆଉଜଣେ ମୃତକ କ୍ଷୀରସିନ୍ଧୁଙ୍କ ପରିବାର ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପରେ ଏସଡିପିଓ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ଦିଆଯିବ ବୋଲି କହିଥିଲେ।