ମେଡିକାଲରୁ ଫେରିବା ବେଳେ ଦୁର୍ଘଟଣା: ମାଆ ମୃତ, ପୁଅ ଆହତ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା କେନ୍ଦେଇପଶି ରାସ୍ତାର ତୁରୁମୁଙ୍ଗା ଥାନା କେନ୍ଦେଇପଶି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଅପରାହ୍ଣରେ ଦୁର୍ଘଟଣାରେ ମାଆର ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଛନ୍ତି। ମୃତକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ବ୍ରଜବନ୍ଧୁ ସାହୁ ଙ୍କ ସ୍ତ୍ରୀ ବାସନ୍ତୀ ସାହୁ। ସୂଚନା ଅନୁଯାୟୀ ବାସନ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ପୁଅ ସୁଦାମଙ୍କ ସହ କେନ୍ଦୁଝର ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ। ଡାକ୍ତରଖାନାରୁ ଫେରିବାବେଳେ ବାଇକ ଆଗକୁ ଛେଳି ପଶିଆସିବାରୁ ଦୁର୍ଘଟଣା ଘଟିଥିଲା । ଫଳରେ ପଛରେ ବସିଥିବା ବାସନ୍ତୀ ଛିଟିକି ପଡ଼ିବାରୁ ରାସ୍ତାରେ ମୁଣ୍ଡ ବାଡେଇ ହୋଇ ପ୍ରବଳ ରକ୍ତସ୍ରାବ ହୋଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।