ବୋଲେରୋ ଦୁର୍ଘଟଣାରେ ଜଣେ ସିଆରପିଏଫ୍ ଯବାନ ମୃତ, ୨ ଗୁରୁତର

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ନିକଟ କୁରୁଙ୍ଗୁଲି ଘାଟିରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଜଣେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାମ ରାଜେନ୍ଦ୍ର ଲୋଖଣ୍ଡେ। ଆହତ ଯବାନ ହେଲେ ମଲାପା ମର୍କଟି ଓ ଆର ସର୍ବାଣ। ସମସ୍ତଙ୍କ ଘର ମହାରାଷ୍ଟରେ ବୋଲି ସୂଚନା ମିଳିଛି। ସେମାନେ ବାଲିଗୁଡ଼ା ସିଆରପିଏଫ୍ କଲୋନୀରେ ନିୟୋଜିତ ଥିଲେ।

ଫୁଲବାଣୀରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବାବେଳେ କୁରୁଙ୍ଗୁଲି ଘାଟିରେ ବୋଲେରୋ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ରାଜେନ୍ଦ୍ର ଲୋଖଣ୍ଡେର ମୃତ୍ୟୁ ହୋଇଥିଲା। ସେହିପରି ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।