ବରଗଡ଼,ଏନ୍ଏନ୍ଏସ୍ : ଶୁକ୍ରବାର ରାତି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ମେଢ଼ାପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ ଟା ୩୦ ମିନିଟରେ ମହାଶିବରାତ୍ରି ଅବସରରେ ଭଟଲି ଥାନା ସୁକୁଡା ଗ୍ରାମର ସୁନିଲ ଡନସେନା (୨୦), ଜିତେଶ୍ୱର ବୁଦ୍ଧିଆ (୨୨) ଏବଂ ରବୀନ୍ଦ୍ର ଡନସେନା(୨୨) ଏକ ଆପାଚି ମୋଟର ସାଇକେଲରେ ଅମ୍ବାଭୋନା ସ୍ଥିତ କେଦାରନାଥ ପୀଠକୁ ଯାଉଥିଲେ । ତେବେ ମେଢ଼ାପାଲି ନିକଟରେ ସେମାନଙ୍କୁ ସାମାନା ପଟୁ ଏକ କମାଣ୍ଡର ଧକ୍କା ଦେଇଥିଲା । ଫଳରେ ସୁକୁଡ଼ା ଗ୍ରାମର ଉପରୋକ୍ତ ୩ ଜଣ ମୋଟର ସାଇକେଲ ଆରୋହୀ ଦୁର୍ଘଟଣାର ଶୀକାର ହୋଇଥିଲେ ।
ଘଟଣାସ୍ଥଳରେ ସୁନିଲ ଡନସେନାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଜିତେଶ୍ୱର ଏବଂ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଟୁକୁର୍ଲା ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ଜିତେଶ୍ୱର ବୁଦ୍ଧିଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହାକୁ ନେଇ ସୁକୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।