କାର୍-ପିକଅପ୍ ଭ୍ୟାନ୍ ମୁହାଁମୁହିଁ, ଜଣେ ମୃତ , ଜଣେ ଗୁରୁତର

ଜୟପୁର,ଏନ୍ଏନ୍ ଏସ୍: ବୋରିଗୁମ୍ମା ଥାନା ଛତର୍ଲା ଗ୍ରାମ ନିକଟରେ ଏକ କାର୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ କୋଟପାଡର ବିଜେଡି କର୍ମୀ ସନ୍ତୋଷ ପଣ୍ଡା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, କୋଟପାଡର ସନ୍ତୋଷ ପଣ୍ଡା(୪୦) ଓ ରଞ୍ଜିତ କୁମାର ପାତ୍ର କୋଟପାଡରୁ କାରରେ କୋରାପୁଟ ଯାଉଥିବାବେଳେ ଛତର୍ଲା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା। ଫଳରେ ସନ୍ତୋଷ ଓ ରଞ୍ଜିତ ଗୁରୁତର ଆହତ ହୋଇ କାର୍ ଭିତରେ ଫସି ରହିଥିବାବେଳେ ଭ୍ୟାନ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷ ଓ ରଞ୍ଜିତକୁ ବୋରିଗୁମ୍ମା ଡାକ୍ତରଖାନା ପଠାଇଥିଲେ। ସନ୍ତୋଷକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ଥିବା ରଞ୍ଜିତକୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ବୋରିଗୁମ୍ମା ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ କରୁଥିବାବେଳେ ସନ୍ତୋଷ ପଣ୍ଡାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି।