ଓଲଟିଲା ମାଲବାହୀ ଅଟୋ , ୧୪ ମହିଳା ଆହତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଖୁଞ୍ଚୀବେଡା ନିକଟରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଅଟୋ ଓଲଟି ପଡିବାରୁ ଅଟୋ ଡାଲାରେ ବସି ଯାତ୍ରା କରୁଥିବା ୧୪ ଜଣ ମହିଳା ସମେତ ଦୁଇଜଣ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ୬ ଗୁରୁତର ମହିଳା ହେଉଛନ୍ତି ଭାଲିଆ ଡିହାର ପାର୍ବତୀ ମାଝୀ, ସେବତୀ ମୁର୍ମୁ, ଚମ୍ପା ମାରାଣ୍ଡି, ଶିଆଳିଯୋଡ଼ା ର କେତକୀ ରାଣୀ ମହାନ୍ତ , ମେଦିନପୁର ଗ୍ରାମର ମାରୁନ ନାଏକ ଏବଂ ନର୍ମଦା ନାଏକ। ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତ ଓ ଗୁରୁତରଙ୍କୁ ଉଦ୍ଧାରକରି ପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ, ସାହାରପଡ଼ା ବ୍ଲକର ଶିଆଳିଯୋଡ଼ା, ଭାଲିଆଡିହା ଓ ମେଦିନିପୁର ଗ୍ରାମର ଏସଏଚଜି ଗ୍ରୁପର ମହିଳାମାନେ ଡାଲା ଅଟୋରେ ବସି କପୁଣ୍ଡି ଗ୍ରାମରେ ହେଉଥିବା ଏକ ସଭାରେ ଯୋଗ ଦେବା ପାଇଁ ଆସୁଥିବାବେଳେ ଖୁଞ୍ଚିବେଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ଅଟୋ ନେଇ ଡ୍ରାଇଭର ଫେରାର ହୋଇଯାଇଛି।