ଲଖନପୁର ଖଣିକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସହ ର୍ଦୁବ୍ୟବହାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏମସିଏଲ ଲଖନପୁର ଖୋଲାମୁହଁ କୋଇଲା ଖଣିର ଜଣେ ଅଧିକାରୀ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ର୍ଦୁବ୍ୟବହାର କରିବା ସହ ମାନସିକ ଚାପ ଦେଇଥିବା ଅଭିଯୋଗ ହୋଇଛି। ଲଖନପୁର ଖଣିକ୍ଷେତ୍ରର ମହିଳା କର୍ମଚାରୀ ଜଣକ ଏପରି ଅଭିଯୋଗ ଆଣିବା ପରେ ଆଜି ସଲେଶ୍ୱରୀ ମା’ ଘର ଚେରିଟେବୁଲ ଟ୍ରଷ୍ଟର ସଦସ୍ୟାମାନେ ଅଭିଯୁକ୍ତ ଏମସିଏଲ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ ବୋଲି ଲଖନପୁର ଖଣି କ୍ଷେତ୍ରର ମହାପ୍ରବନ୍ଧକଙ୍କ ନିକଟରେ ଲିଖିତ ଆକାରରେ ଦାବି କରିଛନ୍ତି। ସେମାନଙ୍କ କହିବାନୁସାରେ, ଏମସିଏଲ ପରି ଏକ ନାମୀଦାମୀ କମ୍ପାନୀରେ ମହିଳା କର୍ମଚାରୀଙ୍କୁ ର୍ଦୁବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା। ଏହି ଘଟଣାକୁ ଗୁରତ୍ୱ ପ୍ରଦାନ କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆହୁରି ଅନେକ ମହିଳା ଶୋଷଣର ଶିକାର ହେବାର ଆଶଙ୍କା ରହିଛି। ତେଣୁ ଏହି ଘଟଣାର ତଦନ୍ତ ଯଥାଶୀଘ୍ର କରି ଅଭିଯୁକ୍ତକୁ ଚାକିରିରୁ ବହିଷ୍କାର କରାଯାଉ ବୋଲି ସମଲେଶ୍ୱରୀ ମା’ ଘର ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ କମ୍ପାନି ଆକ୍ଟ ୨୦୧୩ ଅନୁସାରେ ଏକ ୬ ଜଣିଆ କମିଟି ଗଠନ କରି ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ଏକ ସ୍ୱେଚ୍ଛାସେବୀ ସଂଗଠନର ଜଣେ ସଦସ୍ୟଙ୍କୁ ମିଶାଇ ୪ଜଣ ମହିଳା ଥିବାବେଳେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜଣେ ଜେନେରାଲ ମଜଦୁର ରହିଛନ୍ତି। ଏହି କମିଟି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଲଖନପୁର ଖଣିକ୍ଷେତ୍ର କର୍ତୃପକ୍ଷ ପ୍ରକାଶ କରିଛନ୍ତି।