ରାଜ୍ୟରେ କୃଷି କ୍ଷେତ୍ରରେ ଉଦ୍ୟୋଗ ସୃଷ୍ଟି ପାଇଁ ଭରପୂର ସୁଯୋଗ- ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଭରପୂର ସୁଯୋଗ ରହିଛି। ଯୁବ ଉଦ୍ୟୋଗୀମାନେ ସମ୍ପ୍ରତି କୃଷି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବାରୁ ଆପିକଲ ମାଧ୍ୟମରେ ପ୍ରତି ବ୍ଲକ୍ରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଆୟୋଜିତ ଭର୍ଚୁଆଲ୍ ବୈଠକରେ ଓଡ଼ିଶା କୃଷି ପ୍ରୋତ୍ସାହନ, ପୁଞ୍ଜିଲଗାଣ ଲିଃ (ଆପିକଲ) ଓ ‘ଓଡ଼ିଶା କୃଷି ଶିଳ୍ପ ନିଗମ’ ବିଭିନ୍ନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଛନ୍ତି ଆପିକଲରେ ପ୍ରତି ଜିଲ୍ଲାରେ ଦାୟିତ୍ୱରେ ଥିବା ଡିଷ୍ଟ୍ରିକ୍ଟ ମ୍ୟାନେଜରମାନେ ଅଧିକ କ୍ରିୟାଶୀଳ ହୋଇ ସେମାନଙ୍କ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହିଥିବା ସୁଯୋଗ ଓ ସୁବିଧା ସମ୍ପର୍କରେ ତର୍ଜମା କରିବା ଆବଶ୍ୟକ। କୋଭିଡ୍-୧୯ ପରି ଏକ ଅସ୍ୱାଭାବିକ ସ୍ଥିତି ଦେଇ ସାରା ବିଶ୍ୱ ଗତି କରୁଥିବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖାଦ୍ୟ ନିରାପତ୍ତା ସହିତ ରୋଜଗାର ଯୋଗାଣରେ ଏକ ଉତ୍ତମ ବିକଳ୍ପ ଭାବରେ ଉଭା ହୋଇଥିବାରୁ ଯୁବ ଗୋଷ୍ଠୀମାନଙ୍କୁ ଏଥିପ୍ରତି ଆଗ୍ରହୀ କରାଇବା ଦିଗରେ ଜନସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’କୁ ଅଧିକ ଲୋକପ୍ରିୟ କରାଇବା ଦିଗରେ ଏହାର ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ।

କୃଷି ଓ ଉଦ୍ୟାନ କୃଷି ସମେତ ମତ୍ସ୍ୟ ଓ ପ୍ରାଣୀ ପାଳନ, କୁକୁଡ଼ା ଚାଷ, ଡାଏରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ସୃଷ୍ଟି ଦିଗରେ ଜିଲ୍ଲାସ୍ତରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଦି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସହିତ ନିୟମିତ ବୈଠକ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ୍ ଋଣ ପାଇପାରିବେ ସେଥି ନିମନ୍ତେ ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥିଲେ। ବୈଠକରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଯେଉଁସବୁ ଯୋଜନା ପ୍ରଣୟନ କରିଛନ୍ତି ତାହା ଚାଷୀମାନଙ୍କ ନିକଟରେ ଯେପରି ସହଜରେ ପହଞ୍ଚି ପାରିବ ସେ ଦିଗରେ ସମ୍ପୃକ୍ତ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ କହିଥିଲେ। ଏଥି ସହିତ ବୈଠକରେ ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ସାର, କୀଟନାଶକ ଔଷଧ ଯୋଗାଣ ସମେତ ବିଭିନ୍ନ କୃଷି ଉପକରଣ ଯୋଗାଣ ଏବଂ ଜଳନିଧି (୨) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିବାବେଳେ କୋଭିଡ୍-୧୯ ସ୍ଥିତିରେ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀମାନେ ସେମାନଙ୍କର ଲକ୍ଷ୍ୟଧାର୍ଯ୍ୟ ପୂରଣ ଦିଗରେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଆପିକଲର ଅଧ୍ୟକ୍ଷ ପ୍ରଭାଦିତ୍ୟ ମିଶ୍ର, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।