ଆଲୋଚନା ବେଳେ ଗୃହରେ ମନ୍ତ୍ରୀମାନଙ୍କ ଅନୁଉପସ୍ଥିତି ପ୍ରସଙ୍ଗ: ବିଜେପି ଓ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୃହରେ ଆଲୋଚନା ସମୟରେ ଯେକୌଣସି ମନ୍ତ୍ରୀ ଉପସ୍ଥିତ ନରହିବାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଆସି ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ, ବାଚସ୍ପତି ସରକାରୀ ଦଳର ମୁଖ୍ୟସଚେତକକୁ ନିର୍ଦ୍ଦେଶ ଦେଇ କହିଲେ ଯେ, ଗୃହରେ ଆଲୋଚନାବେଳେ ଯେମିତି ହେଲେ ଜଣେ ମନ୍ତ୍ରୀ ସରକାରଙ୍କ ପ୍ରତିନିଧି ଭାବେ ଉପସ୍ଥିତ ରୁହନ୍ତି ତାହା ସେ ସୁନିଶ୍ଚିତ କରିବେ।

ଆଜି ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ବୈଧାନିକ ପ୍ରଶ୍ନ ଜରିଆରେ ଏକ ପ୍ରସଙ୍ଗ ଉତ୍ଥାପନ କରୁଥିବାବେଳେ ତାଙ୍କ ଦଳର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଆଜି ଗୃହରେ କୌଣସି ଜଣେ ମନ୍ତ୍ରୀ ମଧ୍ୟ ଉପସ୍ଥିତ ନାହାନ୍ତି। ସଙ୍ଗେ ସଙ୍ଗେ ଉଭୟ କଂଗ୍ରେସ ଓ ବିଜେପି ଦଳର ପ୍ରାୟ ଅଧିକାଂଶ ସଦସ୍ୟ ଗୃହର ମଧ୍ୟଭାଗକୁ ଚାଲିଆସି ହୋହାଲ୍ଲା କରି ଏହାର ପ୍ରତିବାଦ ଜଣାଇଥିଲେ।

ଏହି ସମୟରେ ଟ୍ରେଜେରୀ ବେଞ୍ଚରେ କୌଣସି ମନ୍ତ୍ରୀ ଗୃହରେ ଉପସ୍ଥିତ ନଥିବାବେଳେ ଶାସକ ବିଧାୟକଙ୍କ ସଂଖ୍ୟା ମଧ୍ୟ ଆଶାନୁରୂପ କମ ଥିଲା। ମାତ୍ର ଗୃହରେ ବିରୋଧୀ ପ୍ରତିବାଦ କରିବା ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଦାମ ମାର୍ଣ୍ଡି ଓ ପଦ୍ମନାଭ ବେହେରାଙ୍କ ସମେତ ଶାସକ ଦଳର ଅନେକ ବିଧାୟକ ଗୃହକୁ ପ୍ରବେଶ କରିଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହା ଉପରେ ଦୃଷ୍ଟି ଦେଇ କହିଲେ ଯେ, ଗୃହରେ କୌଣସି ପ୍ରସଙ୍ଗ ଆଲୋଚନା ସମୟରେ ଯେକୌଣସି ମନ୍ତ୍ରୀ ସରକାରୀ ପ୍ରତିନିଧି ଭାବେ ଉପସ୍ଥିତ ରହିବା ବିଧି ରହିଛି ଓ ତାହା ପାଳନ କରିବା ଦରକାର। ଉକ୍ତ ସମୟରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବାରୁ ବାଚସ୍ପତି ଶ୍ରୀ ପାତ୍ର ଏଥିନେଇ କ୍ଷୋଭପ୍ରକାଶ କରିଥିଲେ। ମନ୍ତ୍ରୀମାନେ ଗୃହରେ ଯେପରି ଭାବେ ଉପସ୍ଥିତ ରହିବେ, ତାର ସୁନିଶ୍ଚିତ କରିବାକୁ ସରକାରୀ ଦଳର ମୁଖ୍ୟସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିôଲେ।