ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଫେରାର ହୋଇଗଲେ ସଂକ୍ରମିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛପଟେ ଥିବା ସ୍ୱାବ କଲେକ୍‌ସନ ସେଣ୍ଟରରୁ ଜଣେ କରୋନା ସଂକ୍ରମିତ ଗତକାଲି ସନ୍ଧ୍ୟାରେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ରାତି ପ୍ରାୟ ୯ଟା ୩୦ରେ ଠାବ କରି କୋଭିଡ ହସ୍ପିଟାଲକୁ ପଠାଯାଇଥିବା ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ସୂଚନା ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଗତକାଲି ସକାଳ ୧୦ଟାରେ ଜ୍ୱର, କାଶ ଲକ୍ଷଣ ଥିବା କିଛି ପୁରୁଷ ଓ ମହିଳା ସ୍ୱାବ ପରୀକ୍ଷଣ ପାଇଁ ଆସିଥିଲେ। ନମୁନା ପରୀକ୍ଷଣ ପରେ ୫ ଜଣଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା। ତେଣୁ ସଂକ୍ରମିତମାନଙ୍କୁ କୋଭିଡ ହସ୍ପିଟାଲ ନେବା ପରିବର୍ତ୍ତେ ଅପେକ୍ଷା କରିବା ପାଇଁ କୁହାଯାଇଥିଲା।

ଅନେକ ସମୟ ଧରି ତାଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ନଆସିବାରୁ ଜଣେ ସେଠାରୁ କୁଆଡେ ଫେରାର ହୋଇଯାଇଥିଲେ। ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଖୋଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଆକ୍ରାନ୍ତ ଜଣଙ୍କ ଭୟଭୀତ ହୋଇ ସେଠାରୁ ଫେରାର ହୋଇଯାଇଥିଲେ।