ଇସ୍ରୋ ପାଇଁ ମନୋନୀତ ହେଲେ ଅବିନାଶ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଏନ୍ଏସି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଅବିନାଶ ବେହେରା ଇସ୍ରୋ (ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ) ପରିଦର୍ଶନ ନିମନ୍ତେ ମନୋନିତ ହୋଇଛନ୍ତି । ସାରା ରାଜ୍ୟରୁ ଏଥିପାଇଁ ମୋଟ ୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ରହିଛନ୍ତି। ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଖୁସିର ଲହରି ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଛି ।

ସୂଚନାଯୋଗ୍ୟ ଯେ ଚଳିତ ମାସ ୧୨ତାରିଖରେ ଟାଟା ଷ୍ଟିଲ ଆନୁକୂଲ୍ୟରେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ୨୦୧୯ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବିନାଶଙ୍କ ପ୍ରକଳ୍ପ ଅତି ଉଚ୍ଚ ପ୍ରଶଂସିତ ହୋଇଥିଲା । ମାଲକାନଗିରି ଜିଲ୍ଲାର ଅଭିନାଶ ଏକମାତ୍ର ଛାତ୍ର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅଭିନାଶଙ୍କ ବାପା ଅନୁଭବ ବେହେରା ପେସାରେ ଜଣେ ଶିକ୍ଷକ ଓ ମା ବାସନ୍ତୀ ଜଣେ ଗୃହିଣୀ । ଏହି ସଫଳତାର ଶ୍ରେୟ ସେ ନିଜ ବାପା, ମା’ ଓ ବିଦ୍ୟାଳୟର ଗୁରୁଜୀ ଗୁରୁମା’ଙ୍କୁ ଦେଇଛନ୍ତି। ଏନେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମନରେ ଖୁସିର ଲହରି ଖେଳିଯାଇଛି।