ଅଭିନନ୍ଦନଙ୍କ ୫୧ ସ୍କ୍ୱାଡ୍ରନକୁ ସମ୍ମାନିତ କରିବ ବାୟୁସେନା

ନୂଆଦିଲ୍ଲୀ : ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପକ୍ଷରୁ ହେଉଥିବା ବିମାନ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଥିବା ଭାରତୀୟ ବାୟୁସେନାର ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ୫୧ ସ୍କ୍ୱାଡ୍ରନକୁ ବାୟୁସେନା ଦିବସ ଅବସରରେ ସମ୍ମାନିତ କରାଯିବ। ଏୟାର ଚିଫ୍ ମାର୍ଶାଲ ଆର୍କେଏସ୍ ଭଦୌରିଆ ଆସନ୍ତା ୮ରେ ବାୟୁସେନାର ୮୭ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରିବେ।

ଏହି ସ୍କ୍ୱାଡ୍ରନର ଗ୍ରୁପ୍ କ୍ୟାପ୍ଟେନ୍ ସତୀଶ ପାୱାର ଓ ଏୟାର ଷ୍ଟ୍ରାଇକ୍ର ନେତୃତ୍ୱ ନେଇଥିବା ମିଣ୍ଟି ଅଗ୍ରୱାଲଙ୍କୁ ବାୟୁସେନା ମୁଖ୍ୟ ମଧ୍ୟ ସମ୍ମାନିତ କରିବେ। ଗତ ଫେବୃଆରୀ ୧୪ରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଆତଙ୍କୀମାନେ ଜମ୍ମୁ-କଶ୍ମୀରର ପୁଲୱାମାରେ ହମ୍ଲା କରିବାରୁ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ହମ୍ଲାର ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ରେ ପଶି ଏୟାର ଷ୍ଟ୍ରାଇକ୍ କରି ବହୁ ଆତଙ୍କୀ ଶିବିର ନଷ୍ଟ କରିଦେଇ ଥିଲା।

ଏଥିରେ ବହୁ ଆତଙ୍କୀ ନିହତ ହୋଇଥିଲେ। ଏହାପରେ ପାକିସ୍ତାନ ପାଲଟା ଜବାବ ଦେବାକୁ ଯାଇ ପରଦିନ ଭାରତୀୟ ସୀମାରେ ଅନୁପ୍ରବେଶ କଲାବେଳେ ବାୟୁସେନାର ୫୧ ସ୍କ୍ୱାଡ୍ରନ ପାକିସ୍ତାନର ଏଫ୍-୧୬ ଲଢ଼ୁଆ ବିମାନକୁ ଗୁଳିକରି ଖସାଇ ଦେଇଥିଲା। ଏହି ସ୍କ୍ୱାଡ୍ରନର ନେତୃତ୍ୱ ନେଇଥିଲେ କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପ୍ଟେନ୍ ସତୀଶ ପାୱାର।