କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ବିରୁଦ୍ଧରେ ଆପର ବିକ୍ଷୋଭ ଓ ଦାବିପତ୍ର

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ବିରୁଦ୍ଧରେ ଗୁରୁବାର ଦିନ ଆମ ଆଦମୀ ପାର୍ଟି କେନ୍ଦୁଝର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଦାବିପତ୍ରରେ ରାଜ୍ୟସଭାରେ ଧ୍ୱନି ମତରେ ପାରିତ କୃଷି ବିଲକୁ ଆପ୍ ତରଫରୁ ନାପସନ୍ଦ କରାଯାଇଥିବାବେଳେ ରାଷ୍ଟ୍ରପତି ଏହି ବିଲକୁ ଅନୁମୋଦନ ନ କରିବାକୁ ଅନୁରୋଧ କରାଯାଇଛି । ଏହି ନୂତନ ବିଲ ଯୋଗୁ କୃଷକଙ୍କ ପ୍ରଗତି ବଦଳରେ ଦୁର୍ଗତି ହେବ ବୋଲି ଦଳ ଅଭିଯୋଗ କରିଛି । କେବଳ ଏତିକି ନୁହେଁ ଏହି ବିଲ ଦ୍ୱାରା ବିଭିନ୍ନ କମ୍ପାନୀ ଓ ମିଡଲ ମ୍ୟାନମାନେ ଉପକୃତ ହେବେ ବୋଲି ଆପ ଅଭିଯୋଗ କରିଛି । ବର୍ତ୍ତମାନ ମଣ୍ଡି ମାଧ୍ୟମରେ କୃଷକ ଏମଏସପି ପାଉଛି । ନୂତନ ବିଲ ଦ୍ୱାରା କେନ୍ଦ୍ର ସରକାର ଏମଏସପି ବ୍ୟବସ୍ଥାକୁ ଉଠେଇ ନେବାର ସମ୍ଭାବନା ରହିଥିବା ଆପ ତରଫରୁ ଅଭିଯୋଗ ହୋଇଛି । ମୋଦୀ ସରକାର ଉକ୍ତ କଳା ଆଇନ ମାଧ୍ୟମରେ କୃଷକଙ୍କୁ ସର୍ବସ୍ଵନ୍ତ କରି ଖାଉଟିଙ୍କୁ ମହଙ୍ଗା ବଜାରକୁ ଠେଲି ଦେଉଥିବାର ଏହାକୁ ଫେରାଇ ନେବାକୁ ପାର୍ଟି ତରଫରୁ ଦାବୀ ହୋଇଛି । ତେଣୁ ଜନସାଧାରଣ ଏହି ବିଲକୁ ବିରୋଧ କରିବା ପାଇଁ ଆପ ତରଫରୁ ନିବେଦନ କରାଯାଇଥିବାବେଳେ ୨୫ ସେପ୍ଟେମ୍ବର ଭାରତ ବନ୍ଦ ଡାକରାକୁ ଦଳ ସମର୍ଥନ କରୁଥିବା କର୍ମୀମାନେ ପ୍ରକାଶ କରିଛନ୍ତି । ଏହି ସମୟରେ ଜୈନୁଲ ଆବେଦିନ, ମେଘନାଦ ମାଝୀ ,ପ୍ରେମାନନ୍ଦ ସିଂ, ରମ୍ୟ ରଞ୍ଜନ ଖଣ୍ଡୁଆଲ,ସୁଧୀର ମହାନ୍ତ, ଅମର ମହାନ୍ତି, ସନ୍ତୋଷ ବାରିକ, ଋଷିନାଥ ସାହୁ ଓ ସମ୍ରାଟ ଟୁଡୁ ପ୍ରମୁଖ ସାମିଲ ଥିଲେ ।