କୁଇଲଗା ଜୋରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗାନ୍ଧି ଛକ ଫାଣ୍ଡି ଅର୍ନ୍ତଗତ ଲୋଇସିଂହା ପଞ୍ଚାୟତ କୁଇଲଗା ଜୋରରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ବେଲପାହାଡ଼ ପୌରପରିଷଦ ଖୁଖେଲମାଲ ଗ୍ରାମର ଖୁଟୁଲୁ ଖଡ଼ିଆ(୫୫) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଏକ ମୃତଦେହ କୁଇଲଗା ଜୋରର ତଳେ ପଡ଼ିଥିବା ଖବର ପାଇ ଗାନ୍ଧି ଛକ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଖୁଟୁଲୁଙ୍କ ପରିବାର ଲୋଇସିଂହ ପଞ୍ଚାୟତର ସାଇମାଲ ଗ୍ରାମକୁ ଏକ ବାହାଘରରେ ଯୋଗଦେବା ପାଇଁ ଯାଇଥିଲେ। ସେମାନଙ୍କୁ ଆଣିବା ପାଇଁ ଖୁଟୁଲୁ ଗତକାଲି ସଂଧ୍ୟାରେ ନିଜ ସାଇକେଲରେ ବେଲପାହାଡ଼ରୁ ଲୋଇସିଂ ଅଭିମୁଖେ ବାହାରିଥିଲେ। ହେଲେ କୁଇଲଗା ପୋଲ ନିକଟରେ ସେ ଭାରସାମ୍ୟ ହରାଇ ପାଣିରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିଲା ପରେ ଖୁଟୁଲୁଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଏହାସହ ଗାନ୍ଧି ଛକ ଫାଣ୍ଡିରେ ଏକ ମାମାଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।