ଗୋଟିଏ ମୃତ ସହରର କାହାଣୀ

ରାଉରକେଲା : ସଙ୍ଗୀତା ଜେନା

ଖଣିରୁ କଞ୍ଚାମାଲ ଉତ୍ତୋଳନ ବନ୍ଦ ହେବା ଦିନର ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) କଞ୍ଚାମାଲ ବିଭାଗ କୋଲକାତା ଦ୍ୱାରା ପରିଚାଳିତ ପୁରୁଣାପାଣି ଟାଉନଶିପ ମୃତପ୍ରାୟ ସହରରେ ହୋଇଛି। ସ୍ଥାନୀୟ ଲୋକ ଜୀବିକା ହରାଇ ଅନ୍ୟତ୍ର ସ୍ଥାନାନ୍ତରିତ ହେବାରେ ଲାଗିଛନ୍ତି। ଯେତିକି ବି ଅଛନ୍ତି ସେମାନେ ଦୁର୍ବିସହ ଜୀବନ କଟାଉଛନ୍ତି।

ସ୍ମାର୍ଟ ସିଟି ରାଉରକେଲାଠାରୁ ୩୨ କିଲୋମିଟର ଦୂରତାରେ ଅବସ୍ଥିତ ନୂଆଗାଁ ବ୍ଲକର ପୁରୁଣାପାଣିରେ ରହିଛି ସେଲ କଞ୍ଚାମାଲ ଡିଭିଜନର ଜୀବନ୍ତ କ୍ୱାରୀ। ଏକଦା ଉକ୍ତ କ୍ୱାରୀରେ ୭ଶହ କର୍ମଚାରୀ କାର୍ଯ୍ୟରତ ଓ ସେମାନଙ୍କର ପରିବାରବର୍ଗ ଟାଉନଶିପରେ ଚଳଚଞ୍ଚଳ ହେଉଥିବା ସମ୍ପ୍ରତି ତାହା ଜନାକୀର୍ଣ୍ଣ ଓ ଶ୍ରୀହୀନ ହୋଇପଡ଼ିଛି। ଦିନରାତି ଚବିଶ ଘଣ୍ଟା ପୁରୁଣାପାଣିରେ ଥିବା ତିନୋଟି କ୍ୱାରୀରୁ ଚୁନପଥର କଞ୍ଚାମାଲ ଉତ୍ତୋଳନ ହେଉଥିଲା। କର୍ମଚାରୀଙ୍କ ନିମନ୍ତେ ହୋଇଥିବା ଟାଉନଶିପ, ଡାକ୍ତରଖାନା, ଅଡିଟୋରିୟମ, ସୋସିଆଲ ହୋମ, ଷ୍ଟାଡିୟମ, ଗେଷ୍ଟହାଉସ ସବୁ ଭୂତକୋଠିରେ ପରିଣତ ହୋଇଛି।

ଡାକ୍ତର ନଥିବାରୁ ୨୬ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପରିତ୍ୟକ୍ତ ହୋଇଛି। କର୍ମଚାରୀଙ୍କ ପାଇଁ ନିର୍ମିତ ହୋଇଥିବା ୫୨୦ଟି ଘରରୁ ଅଧିକାଂଶ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ମାଟିରେ ମିଶି ନଷ୍ଟ ହୋଇଯାଇଛି। କ୍ୱାରୀରେ ବ୍ୟବହୃତ ଆଧୁନିକ ମେସିନ, ଟ୍ରକ, ଟିପ୍ପରଗୁଡ଼ିକ ଖତଖାଇବାରେ ଲାଗିଛି।

୨୦୦୩ ମସିହାରୁ ଏହି ସୁନ୍ଦର ଟାଉନଶିପ ଶ୍ରୀହୀନ ହୋଇ ମୃତପ୍ରାୟ ସହରରେ ପରିଣତ ହୋଇଛି। ଏକଦା ଏଥିରେ ସ୍ଥାୟୀ ଓ ଅସ୍ଥାୟୀ ୭୦୦ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ସମ୍ପ୍ରତି ୫ ଜଣ ସ୍ଥାୟୀ ଓ ୧୮ ଜଣ କାଜୁଆଲ ତଥା ୩୪ ଜଣ ଘରୋଇ ସୁରକ୍ଷାକର୍ମୀଙ୍କ ଭରସାରେ ଏହି ଟାଉନଶିପ ପରିଚାଳିତ ହେଉଛି।

 

ମାଇନ୍ସ ମ୍ୟାନେଜର ଦାୟିତ୍ୱରେ ଥିବା ଶ୍ରୀବତ୍ସ ନାୟକଙ୍କ କହିବା ଅନୁସାରେ ସେଲ ପରିଚାଳିତ ଉକ୍ତ ଓପନ କାଷ୍ଟ କ୍ୱାରୀଗୁଡ଼ିକରେ ୧୯୫୮ ମସିହାରେ ଚୂନପଥର ଉତ୍ତୋଳନ କରାଯାଉଥିଲା। ଚୂନପଥର ଖନନ କରି ସେଲର କଞ୍ଚାମାଲ ବିଭାଗକୁ ଯୋଗାଣ କରାଯାଉଥିଲା। ଏଥିରେ ପ୍ରଚୁର ମାତ୍ରାରେ ଡୋଲମାଇଟ ଗଚ୍ଛିତ ଥିବା ବେଳେ କେବେ ଏଥିରେ ଉତ୍ତୋଳନ କରାଯାଇନାହିଁ। ଧୀରେ ଧୀରେ ଏହାର ନିମ୍ନମାନ ଦର୍ଶାଇ ୨୦୦୩ ମସିହାରେ ବନ୍ଦ କରିଦିଆଗଲା। ସମ୍ପ୍ରତ୍ତି ଦପ୍ତର ଖାଲି, କମ୍ପାନୀ କୋଠା ଓ କର୍ମଚାରୀଙ୍କ ଘରଗୁଡ଼ିକ ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି।

ଅତ୍ୟାଧୁନିକ ଟାଉନଶିପରେ ସ୍ୱେରେଜ ବ୍ୟବସ୍ଥା ଥିଲା। ତାହା ଏବେ ନଷ୍ଟ ହୋଇଯାଇଛି। କମ୍ପାନୀ କ୍ୱାର୍ଟର୍ସଗୁଡ଼ିକରେ ଏହି ସ୍ୱେରେଜ ବ୍ୟବସ୍ଥା ଅଚଳ ରହିଛି। ବାସଗୃହ ଗୁଡ଼ିକର କବାଟ ଝରକା ସବୁ ଲୋକେ ଚୋରି କରି ନେଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ଓ ସହର ସେବା ବିଭାଗ ନଥିବାରୁ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ତେଣୁ ଏହି କ୍ୱାର୍ଟର୍ସ ଓ ଅନ୍ୟ କୋଠାଗୁଡ଼ିକ ବାସୋପଯୋଗୀ ହୋଇ ରହିନାହିଁ ବୋଲି ଦୈନିକ ରାଉରକେଲାରୁ ପୁରୁଣାପାଣି ଯା’ଆସ କରୁଥିବା ସେଲ କର୍ମଚାରୀ ଜର୍ଜ ଲାକ୍ରା କହିଛନ୍ତି। ସେହିପରି ଟାଉନଶିପକୁ ଖଟୁଆନାଳରୁ ଦୈନିକ ଦୁଇଥର ଜଳଯୋଗାଣ କରାଯାଉଛି। ମାତ୍ର ରକ୍ଷଣାବେକ୍ଷଣ କରାଯାଉ ନଥିବା ହେତୁ ପାଣିପାଇପ ଆଦି ନଷ୍ଟ ହେବାକୁ ବସିଲାଣି ବୋଲି କାଜୁଆଲ କର୍ମଚାରୀ ବୀର ଓରାମ କହିଛନ୍ତି।

ଟାଉନର ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୀର୍ଘ ବର୍ଷରୁ ଊଦ୍ଧ୍ୱର୍ ପିଢ଼ି ପରେ ପିଢ଼ି ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ରାଜୁ ନାୟକଙ୍କ କହିବା ଅନୁଯାୟୀ, ଏଠାରେ ବେପାର କରିବା କଷ୍ଟକର ହୋଇପଡ଼ିଛି। କର୍ମଚାରୀ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ବେପାର ମାନ୍ଦା ଚାଲୁଛି। ଗିରିଜାଟୋଲିରେ ରହୁଥିବା ବରିଷ୍ଠ ନାଗରିକଙ୍କ କହିବା ଅନୁଯାୟୀ ଏକଦା ଏହା ଦିଲ୍ଲୀ, ବମ୍ବେ ଭଳି ଜଣାପଡ଼ୁଥିଲା। କିନ୍ତୁ ଏବେ ସେସବୁ ଜରାଜୀର୍ଣ୍ଣ ମୃତପ୍ରାୟ ମନେ ହେଉଛି।