ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବ୍ରାହ୍ମଣୀଦେଓ ଗ୍ରାମର ହରେକୃଷ୍ଣ ନାଏକ(୫୦) ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ହରେକୃଷ୍ଣ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ପାଟଣା ଅଗ୍ନିଶମ ବାହିନୀ ସେଠାରୁ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ହରେକୃଷ୍ଣଙ୍କ ହାତ ଓ ଦେହରେ ଗଭୀର କ୍ଷତ ଥିବା ଜଣାପଡିଛି। ଅପରପକ୍ଷରେ ବନବିଭାଗ ତରଫରୁ କୌଣସି କର୍ମଚାରୀ ଘଟଣାସ୍ଥଳ କିମ୍ବା ମେଡିକାଲରେ ପହଞ୍ଚି ନଥିବାରୁ ସାଧାରଣରେ ଉତ୍ତେଜନା ଦେଖାଦେଇଛି।