ଚାଷୀଙ୍କ ଅର୍ଥେ କାମ କରିପାରିଲେ ହେବ ପ୍ରତକୃତ ଶ୍ରଦ୍ଧାଞ୍ଜଳି- ନରସିଂହ ଜିଲ୍ଲାରାଜ୍ୟ By Nitidin On May 18, 2022 Share ବଲାଙ୍ଗିର,ଏନ୍ଏନ୍ଏସ୍: ଡ. ସୁଧୀର ପରିଚ୍ଛା ଥିଲେ ଏକ ମହାନ ଚାଷୀନେତା। କେବଳ ଆମ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟର କୃଷକଙ୍କର ସ୍ୱାର୍ଥ ପାଇଁ ସେ ଲଢୁଥିଲେ। ତାଙ୍କ ଭଳିଆ ଅଦମ୍ୟ ସାହାସୀ ଚାଷୀ ନେତା ବହୁତ କମ ଦେଖାଯାଆନ୍ତି। ଅତୀତରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ କରି ସେ ହସି ହସି ଜେଲ ଯାଇଥିଲେ। ଆଜି ତାଙ୍କର ମୃତ୍ୟୁର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ତାଙ୍କର ଏହି ଶ୍ରାଦ୍ଧବାର୍ଷିକୀ ତାଙ୍କର ପୁର୍ଣ୍ଣାବୟବ ମୂର୍ତ୍ତି ଅନାବରଣ କଲାବେଳେ ତାଙ୍କର ନେତୃତ୍ୱରେ ହୋଇଥିବା ପତ୍ୟେକଟି ଚାଷୀ ଆନ୍ଦୋଳନ ମନେ ପଡିଯାଉଛି। ତାଙ୍କର କାର୍ଯ୍ୟକଳାପରୁ ପ୍ରେରଣା ପାଇ ଯଦି ଆମେ ଅଞ୍ଚଳର କୃଷକମାନଙ୍କ ପାଇଁ ଲଢେଇ ଜାରି ରଖି ପାରିବା ତେବେ ତାହା ହିଁ ହେବ ଡ. ପରିଚ୍ଛାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବିଡିଘାଟ ପଞ୍ଚାୟତ ସ୍ଥିତ ଜନକପୁର ଠାରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କୁ କହିଛନ୍ତି। ଆଜି ଜନକପୁର ଠାରେ ଡ. ପରିଚ୍ଛାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା। ଚାଷୀ ନେତା ତଥା କୃଷକ ମହାସଂଘର ସଭାପତି ଜତି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଶ୍ରାଦ୍ଧ ବାର୍ଷିକୀ ସଭାରେ ଶ୍ରୀ ମିଶ୍ର ସ୍ୱର୍ଗତ ପରିଚ୍ଛାଙ୍କ ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ଥିବା ଚାଷୀ ଓ ଚାଷୀ ନେତାମାନଙ୍କୁ ସ୍ୱର୍ଗତ ପରିଚ୍ଛାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମା’ ମାଟି ସେବା କରନ୍ତୁ ବୋଲି କହିଥିଲେ। ତାଙ୍କ ସ୍ମୃତି ଚାରଣ ସଭାରେ ପରିଚ୍ଛା ପରିବାର ତରଫରୁ ଚାଷୀନେତା ଚଗଲା ପରିଚ୍ଛା, ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଶିବତଲା ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରା, ବିଶ୍ୱଜିତ ନାଥ, ରାଜ୍ୟ କିଶାନ କଂଗ୍ରେସ ସଭାପତି ସରୋଜ ରଥ, ବିଶ୍ୱଜିତ ନାଥ, ବିରେନ୍ଦ୍ର ରାଉତ, ପଞ୍ଚାନନ ବିଶି, ଗୋପ ମେହେର, କଳାକାହ୍ନୁ ବେହେରା, ମହେଶ୍ୱର ପଟେଲ, ସରୋଜ ଗୁରୁ, ଲଲିତ ପଟେଲ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର ମେହେର, ଚୁଡାପାଲି ସରପଞ୍ଚ ଘସିରାମ ବେହେରା, ଆଦିବାସୀ ନେତା ଲୋକନାଥ କୁମୁରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ। ସ୍ମୃତିଚାରଣ ସଭାରେ ଆଖ ପାଖ ଅଞ୍ଚଳର ଅନେକ କୃଷକ ମା’ ଭଉଣୀମାନେ ଉପସ୍ଥିତ ରହି ଡ. ସୁଧୀର ପରିଚ୍ଛା ଅମର ରହେ ବୋଲି ନାରା ଦେବା ଯୋଗୁଁ ସଭାସ୍ଥଳରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। Share