ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର ଜିଲ୍ଲାରାଜ୍ୟ By Nitidin On Mar 12, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ନୁଆଁଡିହି ଗ୍ରାମର ସ୍ୱର୍ଗୀୟ ପୋଢ଼ ପାଣ୍ଡେଙ୍କ ଏକ ପରିତ୍ୟକ୍ତ ଘରୁ ଗୁରୁବାର ସକାଳେ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ବନ ବିଭାଗ ଉଦ୍ଧାର କରିଛି। ଏହାକୁ ଏବେ ବ୍ରଜରାଜନଗର ରେଞ୍ଜ ଅଫିସରେ ସୁରକ୍ଷିତ ଭାବରେ ରଖାଯାଇଛି। ଏହି ବଜ୍ରକାପ୍ତାର ଓଜନ ପ୍ରାୟ ୫ କେଜି ଥିବାବେଳେ ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ପ୍ରାଣୀଚିକିତ୍ସାଳୟରେ ଏହାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡିଏଫ୍ଓଙ୍କ ନିର୍ଦ୍ଦେଶ ଅନୁସାରେ ବଜ୍ରକାପ୍ତାକୁ ଜଙ୍ଗଲରେ ଛଡାଯିବ କିମ୍ବା ଚିଡିଆଖାନାରେ ରଖାଯିବ ବୋଲି ବ୍ରଜରାଜନଗର ଫରେଷ୍ଟର ଗୌରାଙ୍ଗ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ସ୍ୱର୍ଗୀୟ ପୋଢ଼ ପାଣ୍ଡେଙ୍କ ପୁତୁରା ଦେବାନନ୍ଦ ପାଣ୍ଡେ ବହୁ ଦିନରୁ ବନ୍ଦ ପଡିରହିଥିବା ଘରକୁ ସଫା କରିବା ପାଇଁ ଖୋଲିଥିବା ବେଳେ ଘର ଭିତରେ ଥିବା ଏକ ଗାତରେ ଏକ ଜୀବ ଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏହା ବଜ୍ରକାପ୍ତା ବୋଲି ଚିହ୍ନଟ କରିବା ପରେ ନୁଆଁଡିହି ଗ୍ରାମର ସୁନିଲ ପ୍ରଧାନ ବ୍ରଜରାଜନଗର ବନ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବ୍ରଜରାଜନଗର ରେଞ୍ଜର ଆରତୀ ନେଗୀ, ଫରେଷ୍ଟର ଗୌରାଙ୍ଗ ସାହୁ, ରାଜ କିଶୋର ପାଣିଗ୍ରାହୀ, ବିପିନ ସା, ସରୋଜ ଖମାରି ଓ ଅନ୍ୟ ବନବିଭାଗ କର୍ମଚାରୀମାନେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ତେବେ ଏହି ପରିତ୍ୟକ୍ତ ଘରୁ ବଜ୍ରକାପ୍ତା ଉଦ୍ଧାର ହେବା ପରେ ଏହି ଅଞ୍ଚଳରେ ଆହୁରି ବଜ୍ରକାପ୍ତା ଥିବାର ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ତେଣୁ ଯେପରି ଦୁର୍ବୃତ୍ତ ମାନଙ୍କ ହାତରେ ଏହି ବିରଳ ପ୍ରାଣୀ ନପଡନ୍ତୁ ସେଥି ପ୍ରତି ବନବିଭାଗ ଧ୍ୟାନ ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। Share