ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ସ୍ଥିତ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କଏଦୀର ନାମ ନୀଳାମ୍ବର ମାଝୀ। ତାଙ୍କ ଘର ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲାମ୍ବାଗୁଡ଼ୁରୀ ଗ୍ରାମରେ ଏବଂ ତାଙ୍କ ବୟସ ପ୍ରାୟ ୬୫ ବର୍ଷ ବୋଲି ଜଣାପଡ଼ିଛି। ଗତବର୍ଷ ଫେବୃଆରୀ ମାସରେ ତାଙ୍କୁ ଖଜୁରୀପଡ଼ା ଥାନା ପୁଲିସ ଏକ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା ଏବଂ ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଭାବେ ରହିଥିଲେ।
ମିଳିଥିବା ସୂଚନା ଅନୁସାରେ, ମୃତ୍ୟୁବରଣ କରିଥିବା ବିଚାରଧୀନ କଏଦୀ ଜଣକ ଆଜି ସକାଳେ ନିଜର ନିତ୍ୟକର୍ମ ସାରି ଟିଫିନ ଖାଇଥିଲେ, ତାପରେ ସେ ଟିଭି ଦେଖୁଥିବା ବେଳେ ହଠାତ୍ ତାଙ୍କ ଦେହ ଥରିବା ସହିତ ସେ ତଳେ ଟଳି ପଡ଼ିଥିଲେ। ତାପରେ ସଙ୍ଗେ ସଙ୍ଗେ ତାଙ୍କୁ ଜେଲ କର୍ମଚାରୀ ମାନେ ନେଇଁ ଫୁଲବାଣୀ ମେଡିକାଲରେ ପହଞ୍ଚିବା ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାରକୁ ଖବର ଦିଆଯାଇଛି। ପରିବାର ଲୋକ ଆସି ପହଞ୍ଚିବା ପରେ ତାଙ୍କ ଶବ ବ୍ୟବେଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଫୁଲବାଣୀ ଜିଲ୍ଲା କାରାଗାରର ଅଧିକ୍ଷକ ସୂଚନା ଦେଇଛନ୍ତି।