ଦଣ୍ଡ ସମୀକ୍ଷା ବୋର୍ଡର ନିଷ୍ପତ୍ତିକ୍ରମେ ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରୁ ମୁକ୍ତ ହେଲେ ଜଣେ ବନ୍ଦୀ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନ୍ତର୍ଗତ ଦଣ୍ଡ ସମୀକ୍ଷା ବୋର୍ଡର ନିଷ୍ପତ୍ତିକ୍ରମେ ଆଜି ରାଜ୍ୟର ବିଭିନ୍ନ କାରାଗାରରୁ ୩୦ଜଣ ବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଏହି କ୍ରମରେ ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୭୦ ବର୍ଷୀୟ ଏତୁଆ ତୂରୀ ନାମକ ଜଣେ ବନ୍ଦୀ ମୁକ୍ତ ହୋଇଛନ୍ତି । ଆଜି ପୂର୍ବାହ୍ନରେ ଜେଲ ପରିସରରେ ମୁକ୍ତ ହୋଇଥିବା ବନ୍ଦୀଙ୍କ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ପରେ ଜେଲର ବିକାଶ କୁମାର ସେଠୀ ତାଙ୍କୁ ମିଠା ଖୁଆଇଥିଲେ। ଏହାସହ ଜେଲ ରହଣୀ ମଧ୍ୟରେ କାମ କରି ଉପାର୍ଜନ କରିଥିବା ଅର୍ଥ ରାଶିକୁ ପ୍ରଦାନ କରିବା ସହ ଘରକୁ ଫେରି ନୂତନ ଜୀବନ ଆରମ୍ଭ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଦୀର୍ଘ ୧୬ ବର୍ଷ ୯ମାସ ୫ ଦିନ ଧରି ଜେଲ ରହଣୀ ପରେ ମୁକ୍ତ ହେଉଥିବା ଖବର ଶୁଣିବା ପରେ ଏତୁଆ ତୂରୀ ଅତ୍ୟନ୍ତ ଆନନ୍ଦିତ ହୋଇଯାଇଥିଲେ। ଜେଲରୁ ଯିବା ସମୟରେ ଏତୁଆ ଜେଲର ଶ୍ରୀ ସେଠୀ ଏବଂ ଜେଲ କର୍ମଚାରୀଙ୍କ ସମେତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ଦେବଗଡ଼ ଥାନା ଅନ୍ତର୍ଗତ ଶୀରିଗିଡ଼ା ଗ୍ରାମର ଏତୁଆ ତୂରୀ ଗତ ୨୦୦୪ ମସିହାରେ ନିଜ ଶ୍ୱଶୁରକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ୨୦୦୪ ମସିହା ଅକ୍ଟୋବର ୧୮ ତାରିଖଠାରୁ ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧିନ ବନ୍ଦୀ ଭାବେ ରହୁଥିଲେ। ୨୦୦୭ ମସିହା ଏପ୍ରିଲ ୧୧ ତାରିଖ ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ସଜା କାଟୁଥିଲେ।