ଡାକ୍ତର ପରିଚୟ ଦେଇ ୧୪ ଜଣ ମହିଳାଙ୍କୁ କରିଥିଲେ ବିବାହ, ଗିରଫ କଲା ମହିଳା ଥାନା ପୁଲିସ

ଭୁବନେଶ୍ବର,ଏନ୍ଏନ୍ଏସ୍: ଡାକ୍ତର ପରିଚୟ ଦେଇ ଜଣେ ଯୁବକ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ସେ ହେଉଛନ୍ତି ରମେଶ ଚନ୍ଦ୍ର ସ୍ୱାଇଁ। ତାଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଚକମା ଦେଇ ୧୪ଜଣଙ୍କୁ ବିବାହ କରିଥିଲେ। କୋଲାକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିଲେ। ରମେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟଙ୍କା ହଡପ କରିବା। ସବୁଠାରୁ ବଡ କଥା ହେଉଛି ଏହି ବ୍ୟକ୍ତି ଜଣଙ୍କ ବୟସ ହେଉଛି ୬୫ ବର୍ଷ। ୭ଟି ରାଜ୍ୟରୁ ୧୪ ଜଣଙ୍କୁ ବିବାହ କରିଛନ୍ତି। ବିଭିନ୍ନ ଜାଗାରୁ ତାଙ୍କ ନାଁ’ରେ ମାମଲା ମଧ୍ୟ ରହିଛି।

୨୦୧୮ ମସିହାରୁ କମିସନରେଟ୍ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ସେ ଦିଲ୍ଲୀରେ ଦୁଇ ଜଣଙ୍କୁ ବିବାହ କରିଥିଲେ। ସେହିପରି ମଧ୍ୟପ୍ରଦେଶରେ ୨ ଜଣଙ୍କୁ, ଛତିଶଗଡରେ ଜଣଙ୍କୁ, ଝାଡଖଣ୍ଡରେ ୨ଜଣଙ୍କୁ, ଆସାମରେ ଜଣଙ୍କୁ, ଓଡିଶାରେ ୩ ଜଣଙ୍କୁ ଏବଂ ପଞ୍ଜାବରେ ଜଣଙ୍କୁ ବିବାହ କରିଥିଲେ। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି।

ପୁଲିସ ତଦନ୍ତରୁ ସେ ଜଣେ ଠକ ବୋଲି ଜଣାପଡିଛି। ଏହି ବ୍ୟକ୍ତି ଜଣଙ୍କ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କ ୩ଟି ସନ୍ତାନ ରହିଛି। ତାପରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ତାଙ୍କର ମଧ୍ୟ ୨ଟି ସନ୍ତାନ ରହିଛି। ଏହିପରି ବିବାହ କରି ଚାଲିଥିଲେ ଏବଂ ଟଙ୍କା ଲୁଟ୍ କରି ଫେରାର ହୋଇଯାଉଥିଲେ। ନକଲି ଡାକ୍ତର ଜଣଙ୍କ ବିଧବା ମହିଳା, ଛାଡପତ୍ର ପ୍ରାପ୍ତ, ମଧ୍ୟ ବୟସ୍କ ମହିଳାଙ୍କୁ ଟାର୍ଗେଟ କରି ଲୁଟୁଥିଲା। ପ୍ରଥମ ବିବାହ କରିଥିବା ମହିଳାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକେଇ କରିଛି। ବିବାହ ହୋଇଥିବା ଗୁରୁଦ୍ୱାରରୁ ୧୧ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି।