୫ ଦଫା ଦାବିରେ ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ମହାସଭା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସେମାନେ ଦାବି କରିଛନ୍ତି ଯେ, ପ୍ରଥମେ ଗରିବବର୍ଗର ପିଲାଙ୍କ ପାଇଁ ରାଜ୍ୟରେ ଭିତ୍ତିଭୂମି ତିଆରି କରାଯାଉ ପରେ ଏକ ପ୍ରକାର ଶିକ୍ଷିନିତୀ ପ୍ରଣୟନ କରାଯାଉ। ଆଦିବାସୀଙ୍କ ଜମି ସାଧାରଣବର୍ଗଙ୍କୁ ହସ୍ତାନ୍ତର ବନ୍ଦ କରାଯାଉ। ଯେହେତୁ ଆଦିବାସୀମାନେ ତାଙ୍କର ଅସୁବିଧା ଦର୍ଶାଇ ଜମି ବିକ୍ରି କରୁଛନ୍ତି, ସେଥିପାଇଁ ସରକାରୀସ୍ତରରେ ଆବଶ୍ୟକତାକୁ ତର୍ଜମା କରି ସହରାଞ୍ଚଳର ଆଦିବାସୀଙ୍କ ଜମିରୁ ୫ ଡେସିମିଲରୁ ୧୦ ଡେସିମିଲ ପର୍ଯ୍ୟନ୍ତ ଏବଂ ଗ୍ରାମାଞ୍ଚଳରେ ୨୫ ଡେସିମିଲରୁ ୫୦ ଡେସିମିଲ ପର୍ଯ୍ୟନ୍ତ ଖରିଦି ବିକ୍ରି ପାଇଁ ଅନୁମତି ଦିଆଯାଉ। ଆଦିବାସୀଙ୍କ ମଧ୍ୟରେ ଖରିଦି ବିକ୍ରି ହୋଇଥିବା ଜମି ସାଧାରଣବର୍ଗଙ୍କ ନାମରେ ବିକିବାକୁ ହେଲେ ପ୍ରଥମେ ଖରିଦ ବିକ୍ରି ହୋଇଥିବା ସର୍ବନିମ୍ନ ତିନିବର୍ଷ ବ୍ୟବଧାନ ରଖାଯାଉ। ଯେଉଁ ଆଦିବାସୀ ଜମିଗୁଡିକ ଅନିୟମିତ ଭାବରେ ଖରିଦି ବିକ୍ରି ହୋଇଛି ସେ ମାମଲାଗୁଡିକୁ ମାସେ ଭିତରେ ଫଇସଲା କରାଯାଉ ବୋଲି ଦାବି କରାଯାଇଛି। ଏହି ଅବସରରେ ଗୋଣ୍ଡୱାନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ସମ୍ମିଳିତ ଆଦିବାସୀ ସମାଜ ଜିଲ୍ଲା ସଭାପତି ପ୍ରଭାକର ଓରାମ, ନେଲସନ ଜୋଜୋ, ଫକିର ନାଏକ ପ୍ରମୁଖଙ୍କ ସହ ଆଦିବାସୀ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ।