ଜଣେ ପ୍ରାପ୍ତ ବୟସ୍କା ମହିଳା ଯେକୌଣସି ସ୍ଥାନରେ ଓ ଯେକୌଣସି ବ୍ୟକ୍ତିଙ୍କ ସହ ନିଜ ଇଚ୍ଛାରେ ରହିପାରିବେ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଜଣେ ପ୍ରାପ୍ତ ବୟସ୍କା ମହିଳା ନିଜ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୂଚନା ଅନୁସାରେ ସେପ୍ଟେମ୍ବର ୧୨ ତାରିଖରୁ ୨୦ ବର୍ଷୀୟ ସୁଲେଖା ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ପରିବାରବର୍ଗ ‘ହେବିଅସ୍‌ କର୍ପସ୍‌’ ମାମଲା ରୁଜୁ କରିଥିଲେ। ସୁଲେଖାଙ୍କୁ ତାଙ୍କ ପରିବାର ଛାଡ଼ିବାକୁ ମିଥ୍ୟା ପ୍ରରୋଚନା ଦିଆଯାଇଥିବା କଥା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ। ପରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ପୁନର୍ମିଳନ କରାଇବା ବେଳେ ବିଚାରପତି ବିପିନ ସଙ୍ଘାଇ ଏବଂ ରଜନୀଶ ଭଟ୍ଟନାଗରଙ୍କ ଖଣ୍ଡପୀଠରେ ଏହି ରାୟ ଦେଇଛନ୍ତି।

ସୁଲେଖା ନାମ୍ନା ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ବବଲୁଙ୍କ ସହ ରହିବାକୁ ଅନୁମତି ଦିଆଯାଉ ବୋଲି ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁଲେଖା ନାବାଳିକା ଏବଂ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ପରିବାର କରିଥିବା ଅଭିଯୋଗକୁ ଅଦାଲତ ଖାରଜ କରିଛି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ସୁଲେଖାଙ୍କ ସହ ଆଲୋଚନା କରିବା ସହ ଘର ଛାଡ଼ିଲା ବେଳେ ସେ ସାବାଳିକା ଥିବା କଥା ଯାଞ୍ଚ କରିବା ପରେ ତାଙ୍କୁ ସୁରକ୍ଷା ମଧ୍ୟରେ ନେଇ ସ୍ୱାମୀ ବବଲୁଙ୍କ ଘରେ ଛାଡ଼ି ଦେବାକୁ ଅଦାଲତ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।