ପଞ୍ଚାୟତରୁ କଣ୍ଟେନମେଣ୍ଟ ଜୋନ ଉଠାଇବା ପାଇଁ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ସାରଙ୍ଗଡ଼ ପଞ୍ଚାୟତରେ ଦୀର୍ଘ ୨୮ ଦିନ ହେବ କଣ୍ଟେନମେଣ୍ଟ ଜୋନ କଟକଣା ଲାଗିରହିଛି। ଫଳରେ ଅତିଷ୍ଠ ହୋଇ ପଞ୍ଚାୟତବାସୀ କଣ୍ଟେନମେଣ୍ଟ କଟକଣା ଉଠାଇବା ପାଇଁ ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସରପଞ୍ଚ ପକ୍ଷରୁ ଉକ୍ତ କଣ୍ଟେନମେଣ୍ଟ ଜୋନକୁ କୌଣସି ବ୍ୟବସାୟୀ, ଖାଦ୍ୟ ସାମଗ୍ରୀ ଓ ପନିପରିବା ଯାନର ଯିବାଆସିବା ଉପରେ କଟକଣା ଲଗାଯାଇଥିବା ବେଳେ ୨ ଚକିଆ ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ତେଣୁ ଲୋକେ ଅତି ଆବଶ୍ୟକୀୟ ସାମଗ୍ରୀ ଓ ପନିପରିବା ଠିକ୍ ରୂପେ ପାଇପାରୁ ନାହାନ୍ତି।

ସେହିପରି ପଞ୍ଚାୟତ ତରଫରୁ ଦିଆଯାଇଥିବା ଭେଣ୍ଡର ଏତେ ବଡ ପଞ୍ଚାୟତକୁ ସଉଦା ଯୋଗାଇପାରୁନାହିିଁ। ଫଳରେ ଅଞ୍ଚଳବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ତେଣୁ ତୁରନ୍ତ ପଞ୍ଚାୟତକୁ କଣ୍ଟେନମେଣ୍ଟ ମୁକ୍ତ କରିବା ପାଇଁ ଏକ ଦାବି ପତ୍ର ସରପଞ୍ଚଙ୍କୁ ପ୍ରଦାନ କରାଯାଇଛି। ଏଥିସହ ତୁରନ୍ତ ପଦକ୍ଷେପ ନ ନେଲେ ସମସ୍ତ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।