ବଢ଼ୁଛି କୁକୁଡ଼ା ଦାନାଦର, କମୁଛି ଅଣ୍ଡା ଦର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ରାଜ୍ୟର ଅଣ୍ଡା ଶିଳ୍ପ (ଲେୟାର ଫାର୍ମ) ଗତ କିଛି ମାସ ଧରି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲାବେଳେ ଏହାର ସଫଳ ମୁକାବିଲା ପାଇଁ ରବିବାର ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଭୁବନେଶ୍ୱରଠାରେ ଏକାଠି ହୋଇଛନ୍ତି। ଗତ କିଛି ମାସ ଧରି ଅଣ୍ଡା ଶିଳ୍ପରେ ଭୟଙ୍କର ସ୍ଥିତି ଦେଖାଦେଇଛି।

କୁକୁଡ଼ା ଖାଦ୍ୟ ଦର ଅତ୍ୟନ୍ତ ବୃଦ୍ଧି ପାଇଥିଲାବେଳେ ଅଣ୍ଡାର ଦର ଦିନକୁ ଦିନ କମିବାରେ ଲାଗିଛି। ଖାଉଟି ପୂର୍ବରୁ ଯେଉଁ ଦରରେ ଅଣ୍ଡା କିଣୁଥିଲା, ଏବେ ସେହି ଦରରେ ଅଣ୍ଡା କିଣୁଥିଲାବେଳେ ମଝିରେ ଟ୍ରେଡ୍ ର ହିଁ ମାଲାମାଲ୍ ହେଉଛି। କିନ୍ତୁ କୁକୁଡ଼ା ଚାଷୀ (ଅଣ୍ଡା) ବହୁ କମ୍ ମୂଲ୍ୟ ପାଉଛି।ଅଣ୍ଡାର ଦର ନିର୍ଦ୍ଧାରଣ କରୁଥିବା ଏନଇସିସିର ଚାଷୀମାରଣ ନୀତି ଯୋଗୁଁ ଆଜି ଅଣ୍ଡା ଚାଷୀମାନେ ତାଙ୍କର ଫାର୍ମ ବନ୍ଦକରିବା ଅଥବା ଆତ୍ମହତ୍ୟା କରିବା ସ୍ଥିତିକୁ ଆସି ସାରିଲେଣି।

ରାଜ୍ୟ ସରକାର ଅଣ୍ଡା ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ସବସିଡ଼ିର ବ୍ୟବସ୍ଥା କରିଥିଲାବେଳେ ସେପଟେ ଏନଇସିସିର ଚାଷୀମାରଣ ନୀତି ତଥା ଖାଦ୍ୟ ଦର ବୃଦ୍ଧି ଅଣ୍ଡା ଶିଳ୍ପକୁ ବହୁ କ୍ଷତି ପହଞ୍ଚାଉଛି। ଏସବୁର ସମ୍ମିଳିତ ମୁକାବିଲା କରିବାପାଇଁ ରବିବାର ଭୁବନେଶ୍ୱରଠାରେ ରାଜ୍ୟର ସମଗ୍ର ଅଣ୍ଡାଚାଷୀମାନେ ଏକାଠି ହୋଇଥିଲେ। ସେମାନେ ବୈଠକରେ ପ୍ରଥମେ ନୂତନ ରାଜ୍ୟସ୍ତରୀୟ ଆସୋସିଏସନ୍ ଗଠନ କରିବା ସହ ଏହାର ନାମ “ଅଲ୍ ଓଡ଼ିଶା ଲେୟାର୍ ଫାର୍ମର୍ସ ଆସୋସିଏସନ୍” ଭାବେ ନାମକରଣ କରିଥିବା ଜଣାପଡ଼ିଛି।

ଏହାର ଅଧ୍ୟକ୍ଷ ଭାବେ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ସର୍ବସମ୍ମତିକ୍ରମେ ମନେୀନୀତ କରାଯାଇଛି। ସଭାପତି ଭାବରେ ବି.ବି.ଚୌଧରୀ, ଉପ ସଭାପତି ଭାବେ ଦେବଦତ୍ତ ବିଶ୍ୱାଳ, ସାଧାରଣ ସଂପାଦକ ଭାବେ ଏଲ୍. ସରୋଜ କୁମାର ପାତ୍ର, ଯୁଗ୍ମ ସଂପାଦକ ଭାବେ ବନ୍ଧନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ପାତ୍ରଙ୍କୁ ସର୍ବସମ୍ମତିକ୍ରମେ ମନେୀନୀତ କରାଯାଇଛି। ସେହିପରି ଆସୋସିଏସନର ପରାମର୍ଶଦାତା ଭାବେ ପ୍ରସନ୍ନ କୁମାର ବସ୍ତିଆ ଏବଂ ମଦନ ମୋହନ ରାଉତ ମନୋନୀତ ହୋଇଛନ୍ତି।

ଖୁବ୍ ଶୀଘ୍ର ଏହି କମିଟି ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାପାଇଁ ବୈଠକରେ ସ୍ଥିର କରାଯାଇଛି। ଏଥିସହ ଏନଇସିସିର ଅଧ୍ୟକ୍ଷା ନିଜ ବ୍ୟବସାୟିକ ସ୍ୱାର୍ଥ ରଖି କ୍ଷୁଦ୍ର ଅଣ୍ଡା ଚାଷୀମାରଣ ନୀତି ଧରିଥିବାରୁ ତାଙ୍କ କମ୍ପାନୀ ଭେଙ୍କିସ୍ ଠାରୁ ଆଗକୁ କୌଣସି ଚିକ୍ (ଚିଆଁ) ନନେବାକୁ ଏହି ବୈଠକରେ ସ୍ଥିର କରାଯାଇଥିଲା। ଏହି ବୈଠକରେ ସମଗ୍ର ଓଡ଼ିଶାର ପ୍ରାୟ ୮୦ରୁ ଊଦ୍ଧ୍ୱର୍ ଅଣ୍ଡାଚାଷୀ ଯୋଗଦେଇଥିଲେ।