ଧର୍ମାନ୍ତରୀକରଣ ଜନଜାତିକୁ ଅଧିବାସୀ ସୁବିଧା ସୁଯୋଗରୁ ବାଡ ଦିଆଯିବାକୁ ନେଇ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା

ଟିଟିଲାଗଡ,ଏନ୍ଏନ୍ଏସ୍: ଧର୍ମାନ୍ତରୀତ ଜନଜାତିକୁ ଆଦିବାସୀ ସୁବିଧା ସୁଯୋଗରୁ ବାଡ଼ ଦେବା ଦାବିରେ ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ଶାଖା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜନଜାତି ସୁରକ୍ଷା ମଞ୍ଚର ସଂଯୋଜକ ବିଶମ୍ବର ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆଠାରୁ ଶତାଧିକ ଆଦିବାସୀ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଭାସ୍ଥଳ ଗୋବିନ୍ଦ ବାଟିକା ଠାରେ ପହଞ୍ଚି ଥିଲେ। ସେଠାରେ ଜିଲ୍ଲା ସମ୍ପାଦକ ପୁରୋହିତ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ, ସମ୍ମାନିତ ଅତିଥି ଭାବରେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ଭୋଇ ଏବଂ କନ୍ଧମାଳ ଜନଜାତି ସୁରକ୍ଷା ମଞ୍ଚର ବସନ୍ତ କୁମାର ପ୍ରଧାନ ଯୋଗଦେଇ ଥିଲେ। ସ୍ଵାଧୀନ ଭାରତରେ ଜନଜାତିର ସାମଗ୍ରିକ ସର୍ବାଙ୍ଗୀନ ବିକାଶ ନିମନ୍ତେ ସ୍ଵତନ୍ତ୍ର ସୁବିଧା ରହିଥିବା ସତ୍ତ୍ବେ ଧର୍ମାନ୍ତରୀତ ଜନଜାତି ଆଦିବାସୀ ସଂଖ୍ୟା ଲଘୁଙ୍କ ସୁବିଧା ସୁଯୋଗକୁ ଉପଭୋଗ କରୁଛନ୍ତି।

ଧର୍ମାନ୍ତରିତ ଜନଜାତିଙ୍କୁ ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ସୁବିଧା ସୁଯୋଗରୁ ବାଦ ଦେବାପାଇଁ ୧୯୭୦ ମସିହାରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ମନ୍ତ୍ରୀ ଥିବା ସ୍ବର୍ଗତ କାର୍ତ୍ତିକ ଓରାମ ୩୨୨ ଜଣ ଲୋକସଭା ଓ ୨୬ ଜଣ ରାଜ୍ୟସଭା ସମୁଦାୟ ୩୪୮ ଜଣ ସାଂସଦଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସେହି ସମୟରେ ଏହା କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ସେହି ଦିନଠାରୁ ଜନଜାତି ସମୁହ ତରଫରୁ ଏହି ଦାବି ବାରମ୍ବାର ଉପସ୍ଥାପନ ହୋଇ ଆସୁଛି। ଏବଂ ଦାବି ହାସଲ ପାଇଁ ଜନଜାତି ସୁରକ୍ଷା ମଞ୍ଚ ଚେଷ୍ଟିତ ଥିବା ନେଇ ମଞ୍ଚ ପକ୍ଷରୁ କୁହାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର କଳାହାଣ୍ଡି ଜିଲ୍ଲା ସଂଯୋଜକ କୃଷ୍ଣ ବିହାରୀ ଭୋଇ, ବିଭାଗ ସଂଯୋଜକ କରାତ ମହାକୁର, ବଲାଙ୍ଗିର ଜିଲ୍ଲା ସଂଯୋଜକ ବାନାମ୍ବର ମାଝୀ, ପ୍ରାଦେଶିକ ସଦସ୍ୟ ନିରାକାର ଭୋଇ, ଟିଟିଲାଗଡ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ନବୀନ ଜୈନ, ଲିଙ୍ଗରାଜ ନାୟକ, ପ୍ରମୋଦ ଦୋଡକା, ରିଙ୍କୁ ପାତ୍ର ପ୍ରମୁଖଙ୍କ ସହ ବହୁ ଆଦିବାସୀ ଉପସ୍ଥିତ ଥିଲେ।