ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟରେ ଚଳିତ ମାସ ଡିସେମ୍ବର ୯ ତାରିଖରେ କମ୍ ତୀବ୍ରତାଯୁକ୍ତ ଏକ ବିସ୍ଫୋରଣ ହୋଇଥିଲା। ଉକ୍ତ ଘଟଣା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ନୁହେଁ ବରଂ ବ୍ୟକ୍ତିଗତ ଶତ୍ରୁତା ଥିବା ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ସ୍ପଷ୍ଟ କରିଛି। ଏଥିସହିତ ଡିଆରଡିଓର ଜଣେ ବରିଷ୍ଠ ବୈଜ୍ଞାନିକ ଭାରତ ଭୂଷଣ କଟାରିୟା ନିଜ ପଡ଼ୋଶୀ ଓକିଲଙ୍କୁ ମାରିବା ପାଇଁ ଏଭଳି ଚକ୍ରାନ୍ତ ରଚିଥିବା ଜଣାପଡ଼ିଛି।
ବୈଜ୍ଞାନିକ ଭାରତ ଭୂଷଣ କଟାରିୟା ଘଟଣା ଦିନ ୨ଟି ବ୍ୟାଗ ସହ ସକାଳ ୯ଟା ୩୩ ମିନିଟରେ ଅଦାଲତ ଭିତରକୁ ଯାଇ ଗୋଟିଏ ବ୍ୟାଗ ସେଠାରେ ଛାଡ଼ି ୧୦ଟା ୩୫ରେ ପଳାଇ ଆସିଥିଲେ। ଉକ୍ତ ବ୍ୟାଗରେ ବିସ୍ଫୋରକ ଥିଲା। ଆଉ ଏହି ବିସ୍ଫୋରଣ ରିମୋଟ ଦ୍ୱାରା କରାଯାଇଥିଲା।
ଦିଲ୍ଲୀ ପୁଲିସ କମିଶନର ରାକେଶ ଅସ୍ଥାନା କହିଛନ୍ତି ଯେ, ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲକୁ ଉକ୍ତ ମାମଲା ହସ୍ତାନ୍ତର କରାଯାଇଥିଲା। କୋର୍ଟ ସୁରକ୍ଷା ମାମଲା ହୋଇଥିବାରୁ ଗମ୍ଭୀରତା ସହ ଯାଞ୍ଚ କରାଯାଇଥିଲା। ସେଥିପାଇଁ ଘଟଣା ଦିନ କୋର୍ଟକୁ ଆସିଥିବା ୧୦୦୦ ଗାଡ଼ି ସହ ୧୦୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯାଇଥିଲା। ଆଉ କ୍ରାଇମ ସିନରୁ ଜଣାପଡ଼ିଥିଲା କି ବୋମା ପ୍ରସ୍ତୁତ କରିବା ପାଇଁ ଯେଉଁ ସରଞ୍ଜାମ ଉପଯୋଗ କରାଯାଇଥିଲା ତାହା ସହଜରେ ଉପଲବ୍ଧ। ଆଇଡୀରେ କେବଳ ଡେଟୋନେଟରର ବିସ୍ଫୋରଣ ଘଟିଥିଲା। ବିସ୍ଫୋରକର ବିସ୍ଫୋରଣ ହୋଇନଥିଲା। ଯଦି ପୁରା ବୋମା ଫାଟିଥାନ୍ତା ତେବେ ବଡ଼ ଧରଣର ବିସ୍ଫୋରଣ ହୋଇଥାନ୍ତା। ଯେଉଁ ବ୍ୟାଗରେ ବୋମା ଥିଲା ତାହା ମୁମ୍ବାଇର ଏକ କମ୍ପାନୀର ବୋଲି ଜଣାପଡ଼ିଥିଲା। ସେହି କମ୍ପାନୀର ଏକ ଗୋଦାମ ଦିଲ୍ଲୀରେ ଥିବା ମଧ୍ୟ ଜଣା ପଡ଼ିଥିଲା। ଯାଞ୍ଚରେ ଉକ୍ତ କମ୍ପାନୀ ଖୁବ୍ ସହାୟକ ହୋଇଥିଲା। ବ୍ୟାଗ୍ ଦ୍ୱାରା ମାମଲା ସହିତ ଜଡ଼ିତ ଅନେକ ଫାଇଲ ମଧ୍ୟ ମିଳିଲା ଯାହକି ଯାଞ୍ଚରେ ସହାୟକ ହେଲା। ଆଉ ଏହାପରେ ମୁଖ୍ୟ ଅଭିଯୁକ୍ତ ଭାରତ ଭୂଷଣ କଟାରିୟାଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ଡିଆରଡିଓ ବୈଜ୍ଞାନିକ ଅଶୋକ ବିହାର ଅଞ୍ଚଳର ଏକ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହୁଛନ୍ତି। ଆଉ ଉକ୍ତ ବିଲ୍ଡିଂର ଟପ୍ ଫ୍ଲୋରରେ ରୋହିଣୀ କୋର୍ଟ ଓକିଲ ଅମିତ ବଶିଷ୍ଠ ରହୁଛନ୍ତି। ଗତ କିଛି ବର୍ଷ ହେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଉଭୟ ପରସ୍ପର ବିରୋଧରେ ଅନେକ ମାମଲା ମଧ୍ୟ ଦାୟର କରିଥିବା ଜଣାପଡ଼ିଛି।