ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରସଙ୍ଗଭିତ୍ତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ ଜନଜୀବନର ସମସ୍ୟା ଗୁଡିୁକ ବୁଝାଇବା ସେତେ ସହାୟକ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୧’ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ଫିଲ୍ମ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ କହିଛନ୍ତି। ସୂଚନାଯୋଗ୍ୟ କି ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ ଓ ୟୁନିସେଫ୍ ଓଡିଶା ସହଭାଗିତାରେ, ଆୟୋଜିତ ‘କଲ୍ଲୋଳ-୨୦୨୧’ର ଶିଶୁ ମହୋତ୍ସବ ଶୁକ୍ରବାର ସ୍ଥାନୀୟ କ୍ରାଉନ ହୋଟେଲଠାରେ ‘ଋତୁସ୍ରାବ ସମ୍ବନ୍ଧୀୟ ପରିଚ୍ଛନ୍ନତା’ ବିଷୟରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଯାଇଛି। ୨୬ ଜଣ ପିଲାଙ୍କ ଦ୍ୱାରା ନିର୍ମିତ ଚଳଚିତ୍ରଗୁଡିକ ମାସିକ ଋତୁସ୍ରାବ ଓ ଏହି ସମୟର ସ୍ୱଚ୍ଛତା ଉପରେ ଆଧାରିତ।
ରାଜାଧାନୀ ଭୁବନେଶ୍ୱରର ତପୋବନ ହାଇସ୍କୁଲ ଓ କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀ ହାଇସ୍କୁଲରେ ୯ ଦିନିଆ କର୍ମଶାଳା ଆୟୋଜିତ କରାଯାଇଥିଲା। ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ପୁନମ ଗୁହା କହିଥିଲେ, ଋତୁସ୍ରାବ ଏକ ଗୁରୁତ୍ୱପୁର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ, ଯାହା ବିଷୟରେ ଖୋଲାଖୋଲି ଆଲୋଚନା କରିବା ଆବଶ୍ୟକ। ଅଲମ୍ପିଆନ୍ ଦୂତି ଚାନ୍ଦ ନିଜର ବକ୍ତବ୍ୟରେ କହିଥିଲେ ପ୍ରତ୍ୟେକ ସ୍କୁଲ କଲେଜ ତଥା ବଜାର ଓ ସପିଂ ମଲ୍ ଗୁଡିକରେ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ରହିବା ନିହାତି ଆବଶ୍ୟକ। ଫଳରେ ନାରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି। ଆନ୍ତର୍ଜାତିକ ଓଡିଶୀ ନୃତ୍ୟ କଳାକାର ଶାଶ୍ୱତ ଯୋଶୀ, ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନେଲସନ୍ କହିଥିଲେ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା, ଓଡିଶା ମେନଷ୍ଟ୍ରୁଆଲ ହେଲ୍ଥ ହାଇଜିନ୍ ଏଲାଏନସର ସଦସ୍ୟ ବିକାଶ ପତି ଏବଂ ଆଇଆରସିର କାର୍ଯ୍ୟକର୍ତ୍ତା ସାଇନି ସାହା ପ୍ରମୁଖ ମଧ୍ୟ ନିଜର ବହୁମୂଲ୍ୟ ମନ୍ତବ୍ୟ ରଖିଥିଲେ। ଫିଲ୍ମଗୁଡିକ ପ୍ରସ୍ତୁତ କରିଥିବା ଦୁଇଟି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିଶୁ କଳାକାର ଖୁସି ଓ ଦର୍ଶିଲ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରକଳ୍ପ ପ୍ରବନ୍ଧକ ସ୍ମୃତି ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଙ୍ଗତ ସେନାମୁଖ୍ୟ ବିପିନ ରାୱତଙ୍କ ସମେତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।