ନଭେମ୍ବରରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଆଦାୟ

ନୂଆଦିଲ୍ଲୀ: ଦେଶରେ ଜିଏସଟି ସଂଗ୍ରହ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନଭେମ୍ବରରେ ୧.୩୧ ଲକ୍ଷ କୋଟି ଅର୍ଥାତ୍ ୧, ୩୧, ୫୨୬ କୋଟିରେ ପହଂଚିଛି। ଜିଏସଟି ଲାଗୁ ହେବା ପରେ ଏହା ଏପର୍ଯ୍ୟନ୍ତର ଦ୍ୱିତୀୟ ସବୁଠୁ ବଡ଼ ଆଦାୟ। ଗତ ବର୍ଷ ନଭେମ୍ବର ତୁଳନାରେ ଏହା ୨୫ ପ୍ରତିଶତ ଅଧିକ ରହିଛି। ଏଥିସହିତ ୨୦୧୯-୨୦ ନଭେମ୍ବର ତୁଳନାରେ ୨୭ ପ୍ରତିଶତ ଅଧିକ ରହିଥିବା ଜଣାପଡ଼ିଛି।

ନଭେମ୍ବର ୨୦୨୧ରେ ଜିଏସଟି ସଂଗ୍ରହ ୧, ୩୧,୫୨୬ କୋଟି ଟଙ୍କା ହୋଇଥିବାବେଳେ ସିଜିଏସଟି ୨୩ହଜାର ୯୭୮ କୋଟି ଟଙ୍କା ରହିଛି। ସେହିପରି ଏସଜିଏସଟି ୩୧ ହଜାର ୧୨୭ କୋଟି ଓ ଆଇଜିଏସଟି ୬୬ହଜାର ୮୧୫ କୋଟି ଟଙ୍କା ରହିଛି। ଏଥିସହିତ ବସ୍ତୁ ଆମଦାନୀରେ ୩୨ହଜାର ୧୬୫କୋଟି ଓ ସେସରୁ ୯,୬୦୬ କୋଟି ଟଙ୍କା ସାମିଲ ରହିଛି।