ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଟିମ୍ ମୁଖ୍ୟ କୋଚ୍ ପୁଲେଲା ଗୋପିଚାନ୍ଦ ରବିବାର ପୂର୍ବାହ୍ନରେ ସ୍ଥାନୀୟ ସହିଦନଗରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚମାନଙ୍କ ସହ ତାଲିମ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡିଶା ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାସ ଏକାଡେମୀର ଭିତ୍ତିଭୂମି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଉପଲବ୍ଧ ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।
କ୍ରୀଡ଼ାର ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ ଓଡ଼ିଶା ସରକାର ବ୍ୟାଡମିଣ୍ଟନ ଓ ଅନ୍ୟାନ୍ୟ କ୍ରୀଡ଼ାକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହିତ କରୁଥିବା ଜାଣି ଗୋପିଚାନ୍ଦ ବେଶ୍ ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସ ବାସ୍ତବରେ ଅଭୂତପୂର୍ବ ବୋଲି ଗୋପିଚାନ୍ଦ କହିଥିଲେ। ସେହିପରି ଆଗାମୀ ଦିନରେ ରାଜ୍ୟ ତଥା ଦେଶରେ ବ୍ୟାଡମିଣ୍ଟନ୍ର ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଯେଉଁସବୁ କାର୍ଯ୍ୟକ୍ରମ କରାଯିବ, ସେନେଇ ମଧ୍ୟ ଗୋପିଚାନ୍ଦ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତା’ଛଡ଼ା ପ୍ରମୁଖ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ମଧ୍ୟ ସେ ଅଧିକାରୀ ଓ କୋଚ୍ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ଏଠାକାର ଜିମ୍ ଓ ହଷ୍ଟେଲ୍ ଆଦି ବୁଲି ଦେଖିବା ସହ ପ୍ରଶିକ୍ଷାର୍ଥୀଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କ ସହ ତାଙ୍କ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ।
ଶନିବାର ଗୋପିଚାନ୍ଦ ଭୁବନେଶ୍ୱରରେ ପହଞ୍ଚି ହକି ମ୍ୟାଚ୍ରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର୍. ଭିନୀଲ କ୍ରିଷ୍ଣାଙ୍କ ସହ ଏକ ବୈଠକରେ ଯୋଗଦେଇ କଳିଙ୍ଗ ଷ୍ଟାଡିୟମ୍ରେ ନିର୍ମାଣାଧୀନ ଡାଲମିୟା-ଗୋପିଚାନ୍ଦ ହାଇ ପରଫରମାନ୍ସ ସେଣ୍ଟର୍ ବୁଲି ଦେଖିଥିଲେ। ଏହି ସେଣ୍ଟର୍ ମାଧ୍ୟମରେ ଆଗାମୀ ଦିନରେ ରାଜ୍ୟରୁ ଅନ୍ତର୍ଜାତୀୟ ପ୍ରତିଭା ସୃଷ୍ଟି ହୋଇପାରିବେ ବୋଲି ଗୋପିଚାନ୍ଦ ଆଶା ପ୍ରକାଶ କରିଥିଲେ।