ଆଉ ନାହାନ୍ତି ବାବା ସାହେବ ପୁରନ୍ଦରେ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,ଏଜେନ୍ସି: ବିଶିଷ୍ଠ ଐତିହାସକାର ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ। ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ପୁଣେର ଦିନାଥ ମଙ୍ଗେଶକର ଡାକ୍ତରଖାନାରେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ସେ ଘରେ ଥିବା ସମୟରେ ସିଡିରେ ପାଦ ଖସିଯିବାରୁ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାବାସାହେବ ପୁରନ୍ଦର ମହାରାଷ୍ଟ୍ରର ଜଣେ ଐତିହାସିକ ଓ ଲେଖକ ଭାବେ ବେଶ ପରିଚିତ ଥିଲେ।

ତାଙ୍କର ଏହି ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଦେହାନ୍ତ ଦେଶର ଇତିହାସ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି। ତାଙ୍କ ପାଇଁ ଆଗାମୀ ପିଢି ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ଜାଣିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବାବା ସାହେବ ପୁରନ୍ଦରେଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ବିଷୟରେ ଅବଗତ ହୋଇପାରିଛନ୍ତି। ଯାହା ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା ହୋଇରହିବ।