ଆଇସିସି ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ପ୍ରଥମ ଟାଇଟଲ୍‌, ନ୍ୟୁଜିଲାଣ୍ଡ୍ ନିରାଶ

ଦୁବାଇ,ଏଜେନ୍ସି: ଆଇସିସି ଟି-୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ। ପୂର୍ବରୁ ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୫ଟି ଟାଇଟଲ୍ ଅର୍ଜନ କରିଥିବା ଅଷ୍ଟ୍ରେଲିଆ ରବିବାର ଖେଳାଯାଇଥିବା ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡ୍‌କୁ ବୃହତ୍ ୮ ୱିକେଟ୍‌ରେ ପରାସ୍ତ କରି ଏହି ଟାଇଟଲ୍ ଅର୍ଜନ କରିଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍‌କୁ ନିରାଶ ହେବାକୁ ପଡ଼ିଛି। ଦଳ ପ୍ରଥମ ଥର ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଶେଷରେ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି।

ଟସ୍‌ରେ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ୍ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର୍ ମିଚେଲ୍ ମାର୍ଶଙ୍କ ରେକର୍ଡ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ୧୮.୫ ଓଭର୍‌ରେ ମାତ୍ର ୨ଟି ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ମାତ୍ର ୩୧ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ଦ୍ରୁତତମ ସାବ୍ୟସ୍ତ ହୋଇଥିବା ମାର୍ଶ ଅପରାଜିତ ୭୭ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିପରି ଟୁର୍ଣ୍ଣାମେଣ୍ଟ୍‌ରେ ୩ଟି ଅର୍ଦ୍ଧଶତକ ସହ ସମୁଦାୟ ୨୮୯ ରନ୍ କରିଥିବା ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର୍ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ।

ନ୍ୟୁଜିଲାଣ୍ଡ୍ ପାଇଁ ସେମିଫାଇନାଲ୍‌ରେ ଜବରଦସ୍ତ ଇନିଂସ ଖେଳିଥିବା ଓପନର ଡାରିଲ୍ ମିଚେଲ୍ ଗୋଟିଏ ଛକା ସହ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ଅନ୍ୟତମ ଓପନର ମାର୍ଟିନ୍ ଗପ୍ଟିଲ୍‌ଙ୍କ ସହ ଅଧିନାୟକ କେନ୍ ୱିଲିୟମ୍‌ସନ୍ ୪୮ ରନ୍ ଯୋଡ଼ିଥିଲେ। ଗପ୍ଟିଲ୍ ୩ଟି ଚୌକା ସହ ୨୮ ରନ୍ କରି ଆଉଟ୍ ହେବା ପରେ ମଧ୍ୟ ୱିଲିୟମ୍‌ସନ୍ ଏକ ଦାୟିତ୍ୱସମ୍ପନ୍ନ ଇନିଂସ ଖେଳିଥିଲେ। ସେ ତୃତୀୟ ୱିକେଟ୍‌ରେ ଗ୍ଲେନ୍ ଫିଲପ୍‌ସଙ୍କ ସହ ୬୮ ରନ୍ ଯୋଡ଼ି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଶେଷ ଭାଗରେ ଦଳ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ନ ପାରିବାରୁ ରନ୍ ସଂଖ୍ୟା ୧୭୨/୪ରେ ସୀମିତ ରହିଥିଲା। ୱିଲିୟମ୍‌ସନ୍ ୪୮ଟି ବଲ୍ ଖେଳି ୧୦ଟି ଚୌକା ଓ ୩ଟି ଛକା ସହ ୮୫ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ। ଏହାଛଡ଼ା ଫିଲିପ୍‌ସ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୮ ଏବଂ ଜେମ୍ସ ନିଶାମ୍ ଗୋଟିଏ ଛକା ସହ ଅପରାଜିତ ୧୩ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଜୋଶ୍ ହେଜଲଉଡ୍ ୩ଟି ୱିକେଟ୍ ନେଇ ସବୁଠାରୁ ସଫଳ ବୋଲର୍ ରହିଥିଲେ।

୧୭୩ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ଅଷ୍ଟ୍ରେଲିଆ ଓପନର ଆରୋନ୍ ଫିଞ୍ଚ୍ (୫ ରନ୍‌)ଙ୍କ ୱିକେଟ୍ ଦଳୀୟ ରନ୍ ସଂଖ୍ୟା ୧୫ ଥିବା ବେଳେ ହରାଇଥିଲା। କିନ୍ତୁ ଅନ୍ୟତମ ୱାର୍ଣ୍ଣର୍ ଓ ମିଚେଲ୍ ମାର୍ଶଙ୍କ ମଧ୍ୟରେ ୯୨ ରନ୍‌ର ଭାଗୀଦାରୀ ହେବା ଫଳରେ ନ୍ୟୁଜିଲାଣ୍ଡ୍ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। ୱାର୍ଣ୍ଣର୍ ୩୮ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ସହ ୫୩ ରନ୍ କରି ଆଉଟ୍ ହୋଇଥିଲେ ହେଁ ମାର୍ଶ ଦଳକୁ ଟାର୍ଗେଟ୍‌ରେ ପହଞ୍ଚାଇଥିଲେ। ସେ ମାତ୍ର ୫୦ଟି ବଲ୍ ଖେଳି ୬ଟି ଚୌକା ଓ ୪ଟି ଛକା ଜରିଆରେ ୭୭ ରନ୍ କରିବା ସହ ତୃତୀୟ ୱିକେଟ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ସହ ଅବିଭାଜିତ ୬୬ ରନ୍ ଯୋଡ଼ିଥିଲେ। ମ୍ୟାକ୍ସୱେଲ୍ ୧୮ ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଉଭୟ ୱିକେଟ୍ ଟ୍ରେଣ୍ଟ୍ ବୋଲ୍ଟ ନେଇଥିଲେ।