ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ଆମେରିକାର ଉଚ୍ଚସ୍ତରୀୟ କଂଗ୍ରେସ ପ୍ରତିନିଧିମଣ୍ଡଳୀକୁ ଭେଟିଛନ୍ତି ପିଏମ ମୋଦୀ। ସାକ୍ଷାତକାର ଅବସରରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ସିନେଟର ଜନ କାର୍ନିନ, କୋଚ୍ ଟମି ଟୁବେରଭିଲେ, ରିପବ୍ଲିକାନ ନେତା ଜେକ୍ ଇଲଜେ, ଟୋନି ଗୋଞ୍ଜାଲେସ, ସିନେଟର ମାଇକ କ୍ରାପୋ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏଥିରେ କରୋନା ବିରୋଧରେ ଭାରତର ଲଢେଇ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଛି ଏବଂ କୋଭିଡକୁ ମାତ୍ ଦେବାରେ ଭାରତକୁ ପ୍ରତିନିଧିମଣ୍ଡଳୀ ଖୁବ୍ ପ୍ରଶଂସା କରିଛନ୍ତି।

ଭାରତ ଉଚିତ୍ ପଦକ୍ଷେପ ଯୋଗୁଁ କରୋନା ମହାମାରୀ ଉପରେ କାବୁ ପାଇଛି ବୋଲି ପ୍ରତିନିଧି ମଣ୍ଡଳୀ କହିଛନ୍ତି। ଏଥିସହ ସିନେଟର ଜନ କାର୍ନିନ ଦକ୍ଷିଣ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳରେ ବିକାଶ ସମ୍ବନ୍ଧୀୟ ମୁଦ୍ଦା ଉପରେ ଚର୍ଚ୍ଚା କରିଛନ୍ତି। ପିଏମ ମୋଦୀ ମଧ୍ୟ ଲୋକତାନ୍ତ୍ରିକ ମୂଲ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି। କୋଭିଡ ଯୁଦ୍ଧରେ ଲୋକଙ୍କ ସହଭାଗିତା ଏହାକୁ ଏକ ଜନଆନ୍ଦୋଳନର ରୂପ ଦେଇଛି। ଯଦ୍ବାରା ଭାରତ ମହାମାରୀକୁ ନିୟନ୍ତ୍ରଣ କରିପାରିଛି ବୋଲି କହିଛନ୍ତି ପିଏମ। ଏଥିସହ ଭାରତ-ଆମେରିକା ମଧ୍ୟରେ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପ ମଜବୁତ କରିବାରେ ଆମେରିକୀୟ କଂଗ୍ରେସର ସମର୍ଥନକୁ ସେ ପ୍ରଶଂସା କରିଛନ୍ତି।

ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ପର୍କ ବିଶ୍ବଶାନ୍ତି ରକ୍ଷା କରିବା ଦିଗରେ ସହାୟକ ହେବ। ଦୁଇ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପଛରେ ଆମେରିକୀୟ କଂଗ୍ରେସ ମହତ୍ବ ଯୋଗଦାନ ରହିଛି। ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଭଳି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ଏକତ୍ର କାର୍ଯ୍ୟ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।