ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ନଭେମ୍ବର ୭ ତାରିଖ ଦିନ ଫେସ୍ବୁକ୍ ଓ ଟୁଇଟର ପେଜ୍ (@stscdev, @scstrti ଖୋଲି ଲାଞ୍ଜିଆ ସଉରାଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡି.) ଅଞ୍ଛଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ଓଡ଼ିଶାର ଗଜପତି, ରାୟଗଡ଼ା ଜିଲ୍ଲାର ପୂର୍ବଘାଟ ଅଞ୍ଚଳରେ ଲାଜିଆ ସଉରା ଜନଜାତିମାନେ ସାଧାରଣତଃ ବସବାସ କରିଥାନ୍ତି। କାନ୍ଥରେ ଚିତ୍ରକଳା, କାଠଖୋଦେଇ, ପଥର କାଟିବା ଓ ଜଳ ପରିଚାଳନା, ବାଦାମ ଚାଷ ଓ ତା’ର ପ୍ରକ୍ରିୟାକରଣ ଆଦି ସେମାନଙ୍କର ମୁଖ୍ୟ ପେଶା ଅଟେ। ପ୍ରାଚୀନ ଜନଜାତି ସଉରାମାନଙ୍କର ଏକ ପ୍ରଭାଗ ହେଉଛନ୍ତି ଲାଞ୍ଜିଆ ସଉରା। ସେମାନଙ୍କର ଅନନ୍ୟ ବେଶପୋଷାକ ହେଉଛି କସ୍ତା/ଖଦଡ଼ ଧୋତି ଯାହା କୁଟିକମ କରାଯାଇ ଆଗକୁ ଓ ପଛକୁ ଲାଜ ଭଳି ଓହଳିଥାଏ। ତେଣୁ ସେମାନଙ୍କୁ ଲାଞ୍ଜିଆ ସଉରା କୁହାଯାଏ। ମହିଳାମାନଙ୍କର ପାରମ୍ପରିକ ବେଶପରିପାଟୀ ହେଉଛି ଏକ ମୋଟା ଖଦଡ଼ ଅଣ୍ଟାଲୁଗା। ସଉରା ମହିଳାମାନେ ଅତ୍ୟଧିକ ଅଳଙ୍କାର ବ୍ୟବହାର କରନ୍ତି ନାହିିଁ। ସେମାନେ ତାଙ୍କର କାନକୁ ଫୋଡ଼ି କାଠର ଏକ ବୃତ୍ତାକାର କାଷ୍ଠଖଣ୍ଡ ପରିଧାନ କରିଥାନ୍ତି। କପାଳର ମଧ୍ୟଭାଗରେ ପାରମ୍ପରିକ ଢଙ୍ଗରେ ଚିତା କୁଟାଇଥାନ୍ତି। ସେମାନଙ୍କର ଘରଗୁଡ଼ିକ ବିକ୍ଷିପ୍ତ ଭାବେ ନିର୍ମିତ ହୋଇଥାଏ। ଗ୍ରାମ ପ୍ରବେଶ ପଥରେ ଗ୍ରାମଦେବୀ ରୂପରେ କାଠ ଖୁଣ୍ଟି ପୋତିଥାନ୍ତି। ସେମାନେ ପୋଡୁ ଜମିକୁ ପଥର ପାଚେରୀ ଦେଇ ଥାକ ଥାକ କରି ନିର୍ମାଣ କରିଥାନ୍ତି: ଯାହା ଧାନଚାଷରେ ଜଳ ଅମଳରେ ସହାୟକ ହୋଇଥାଏ। ଲାଞ୍ଜିଆ ସଉରାମାନେ ସେମାନଙ୍କ ବଂଶକୁ ‘ବିରିଣ୍ଡା’ ନାମରେ ନାମିତ କରିଥାନ୍ତି। କାନ୍ଥରେ ଆକର୍ଷଣୀୟ ଚିତ୍ରକଳା ‘ଇଡିତାଲ’ ପାଇଁ ସେମାନେ ପ୍ରସିଦ୍ଧ।