ପିସିଆର ଭ୍ୟାନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍: ଜାତୀୟ ରାଜପଥ-୪୯ ଚିଖିଲାପାଲି ବନ୍ଧ ନିକଟରେ ଗତକାଲି ରାତିରେ ହୋଇଥିବା ଦୂର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ପଲସଦା ଗ୍ରାମର ସାଗର ମେହେର(୨୨) ଓ ଗୁରୁତର ଆହତ ଥିବା ଯୁବକ ଜଣକ ସତ୍ୟବାନ ତେଲେଙ୍ଗା ବୋଲି ଜଣାପଡିଛି। ରେଙ୍ଗାଲି ପୁଲିସର ପିସିଆର୍ ଭ୍ୟାନ ଦୁର୍ଘଟଣା ଘଟାଇଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସାଗରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣା କେମିତି ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଏହାସହ ରେଙ୍ଗାଲି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କୁ ଏସପି ଅଫିସକୁ ବଦଳି କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ଗତକାଲି ରାତିରେ ସାଗର ଓ ସତ୍ୟବାନ ନିଜ ଗ୍ରାମ ପଲସଦାକୁ ଫେରୁଥିବାବେଳେ ସେମାନଙ୍କୁ ପିସିଆର ଭ୍ୟାନ ଧକ୍କା ଦେଇଥିବା ସନ୍ଦେହ କରି ପଲସଦା ଗାଁରୁ ଶତାଧିକ ଲୋକ ରେଙ୍ଗାଲି ଥାନାରେ ପହଞ୍ଚି ଭଙ୍ଗାରୁଜା କରିବା ସହ ପୁଲିସକୁ ମାରପିଟ୍ କରିଥିଲେ। ଫଳରେ ଥାନାର ଜଣେ କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ ଆହତ ହୋଇଥିବା ବେଳେ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି।

ଅନ୍ୟପଟେ ଗତକାଲି ରାତିରେ ରାଜପଥ ପାର୍ଶ୍ୱରେ ଚିଖଲାପାଲି ନିକଟରେ ୨ ଜଣ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ପୁଲିସ କର୍ମୀମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିବା ଏଏସ୍ଆଇ ପ୍ରତାପ ଚନ୍ଦ୍ର ପଟେଲ ସୂଚନା ଦେଇଛନ୍ତି। ସାଗର ଓ ସତ୍ୟବାନଙ୍କ ଦୁର୍ଘଟଣା କିପରି ଘଟିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି।