ତାମିଲନାଡୁକୁ ଦାଦନ ଶ୍ରମିକ କାମ କରିଯାଇଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ପୁଲିସ ଓ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ପରିବାରର ପ୍ରତିପୋଷଣ ପାଇଁ ଦେବଗଡ ଜିଲ୍ଲାରୁ ତାମିଲନାଡୁ ରାଜ୍ୟକୁ ଦାଦନ ଶ୍ରମିକ କାମ କରିବା ପାଇଁ ଯାଇଥିବା ଯୁବକର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ। ରିଆମାଳ ଥାନା ଅନ୍ତର୍ଗତ ବାଲିଜୋରୀ ଗ୍ରାମର ସ୍ୱର୍ଗତ ଅଇଁଠୁ ପ୍ରଧାନଙ୍କ ପୁଅ ଭୀମସେନ ପ୍ରଧାନ (୩୦) ଆଜକୁ ୩ ବର୍ଷ ହେବ ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ତାମିଲନାଡୁ ରାଜ୍ୟର ତ୍ରିପୁର ଜିଲ୍ଲାର ଆଲାମ୍ ପୋଲିୟମ ସଲଫେଟ ଛକ ଆର୍ଲା ଡେମରା ଡାଇଙ୍ଗ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ତାର ଶବ କମ୍ପାନୀର ଏକ ଟାଙ୍କିରେ ଭାସୁଥିଲା। ଖବର ପାଇ ସେଠାକାର ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏବାବଦରେ ତା’ସହ ରହୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜଣେ ଯୁବକ ପରିବାରକୁ ଫୋନ କରି ଜଣାଇବା ସହ ଫଟୋ ପଠାଇଥିଲା। ତେବେ ଭୀମସେନ ଏକ ଫୁଲ ପ୍ୟାଣ୍ଟ ପିନ୍ଧିଥିବା ବେଳେ ତା ଦେହରେ କୌଣସି କପଡା ନଥିଲା। ସେହିପରି ଶରୀରରେ ଅନେକ କ୍ଷତ ବିକ୍ଷତ ହୋଇଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି।

ଦୀପାବଳି ଉପଲକ୍ଷେ କମ୍ପାନୀ ଛୁଟି ଥିବା କଥା ଭୀମସେନ ପରିବାର ସହ ଫୋନ କଥା ହେବା ବେଳେ କହିଥିଲା। ଅପରାହ୍ନ ୩ଟା ଯାଏଁ ସେ ତାର ମା’ସହ କଥା ହୋଇଥିଲା। ମାତ୍ର ଶୁକ୍ରବାର ମଧ୍ୟାହ୍ନ ୧ଟା ବେଳେ ଫୋନ କରିବାରୁ ତାର ଫୋନ ସୁଇଚ ଅଫ ଥିଲା। ଫଳରେ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଏବାବଦରେ ଭୀମସେନ ସ୍ତ୍ରୀ ଗୌରୀ ପ୍ରଧାନ ରିଆମାଳ ଥାନାରେ ଦ୍ୱାରସ୍ଥ ହୋଇ ଏହାର ତଦନ୍ତ ପାଇ ଲିଖିତ ଜଣାଇଥିଲେ। ଭୀମସେନର ସ୍ତ୍ରୀ ଓ ୪ ବର୍ଷର ଶିଶୁ କନ୍ୟା ଅଛି। ଭୀମସେନଙ୍କ ଶବ କିଭଳି ନିଜ ଗ୍ରାମ ବାଲିଜୋରୀକୁ ଅଣାଯିବ ସେ ନେଇ ଏବେ ପରିବାର ଚିନ୍ତାରେ ଥିବା ବେଳେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଭୀମସେନର ଶବ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।