ଭୁବନେଶ୍ବର,ଏନ୍ଏନ୍ଏସ୍: ଶିଶୁମାନଙ୍କ ଦକ୍ଷତାକୁ ଦ୍ବିଗୁଣିତ କରିବାରୁ ଉଦ୍ୟମ ଆରମ୍ଭ କରିଛି ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ। ସେମାନଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ଏଣିକି ସ୍କୁଲରେ ବୁଲିବ ସଚେତନତା ରଥ। ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବା ପରେ ଆରମ୍ଭ ହେବ ସଚେତନତା ଓ ସୁରକ୍ଷା ଅଭିଯାନ। ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଚଳିତ ମାସ ୧ ତାରିଖରୁ ୪୦ ଦିନିଆ ରାଜ୍ୟ ସ୍ତରୀୟ ଏକ ଶିଶୁ ବିଧାନସଭାର ଆୟୋଜନ ହେବ।
ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲି ବୁଲି ଶିଶୁ ମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦିଆଯିବ। ଏହା ସହ ରାଜଧାନୀରେ ରାଜ୍ୟ ସ୍ତରୀୟ ଏକ ଚାଇଲ୍ଡ ଆସେମ୍ବଲି ବା ଶିଶୁ ବିଧାନସଭା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରାଯିବ। ସେମାନଙ୍କ ଦକ୍ଷତା ଓ ମାନସିକତା ପରଖିବ ଆୟୋଗ। ଏ ନେଇ ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ପରାମର୍ଶଦାତା ବୈଠକ ଆୟୋଜନ କରାଯିବ।
ଡିସେମ୍ବର ୧୦ ତାରିଖରେ ୪୦ ଦିନିଆ ଅଭିଯାନ ଶେଷ ହେବ। ଏହା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂନ୍ଧ୍ୟାବତୀ ପ୍ରଧାନ କହିଛନ୍ତି।